Economy
ଉଦ୍ୟାନ ଶ୍ରମିକଙ୍କ ଅଧିକାରରେ ପରିବର୍ତ୍ତନ ଆଣିଛି ନୂଆ ଶ୍ରମ ସଂହିତା
प्रविष्टि तिथि:
07 DEC 2025 10:35 AM
- ନୂଆ ଶ୍ରମ ସଂହିତା ସମାନ ମାନଦଣ୍ଡ ତିଆରି କରେ ଯାହାକି ଉଦ୍ୟାନ କ୍ଷେତ୍ରରେ ଶ୍ରମିକଙ୍କ ସୁରକ୍ଷାକୁ ମଜଭୁତ କରିଥାଏ ଓ ନିୟମ ପାଳନକୁ ସରଳ କରିଥାଏ
- ପୁରୁଣା ଢାଞ୍ଚାରୁ ନୂଆ ଶ୍ରମ ସଂହିତା ଆଡ଼କୁ ହୋଇଥିବା ଏହି ପରିବର୍ତ୍ତନ ଉଦ୍ୟାନ କ୍ଷେତ୍ରରେ ଖଣ୍ଡବିଖଣ୍ଡିତ ନିୟମ ବଦଳରେ ଆଣିଛି ବ୍ୟାପକ ସଂସ୍କାର
- ମଜଭୁତ କଲ୍ୟାଣକାରୀ ଯୋଜନା, ସୁରକ୍ଷିତ କର୍ମସ୍ଥଳୀ ଓ ବ୍ୟାପକ ସାମାଜିକ ସୁରକ୍ଷାର ପ୍ରାବଧାନ ଜରିଆରେ ଶ୍ରମିକ ଓ ସେମାନଙ୍କ ପରିବାର ପାଇଁ ବିଭିନ୍ନ ସୁଖ ସୁବିଧା ପ୍ରଦାନ
- ବ୍ୟାପକ ଓ ଆଧୁନିକ ସୁରକ୍ଷା ବ୍ୟବସ୍ଥାରେ ମହିଳା, ପ୍ରବାସୀ ଓ ଋତୁକାଳୀନ ଶ୍ରମିକଙ୍କୁ ମିଳିବ ଅଧିକ ସୁବିଧା, ସ୍ଥିରତା ଓ ସୁଯୋଗ
ଉପକ୍ରମ
ଉଦ୍ୟାନ ଶ୍ରମିକ ଭାରତର ଶ୍ରମଶକ୍ତିର ଏକ ପ୍ରମୁଖ ଭାଗ। ଏହି ଉଦ୍ୟାନ ଶ୍ରମିକ କୃଷି ଉତ୍ପାଦନରେ, ରପ୍ତାନୀ ଆୟ ଓ ଗ୍ରାମାଞ୍ଚଳ ଜୀବୀକାରେ ସହାୟତା ପ୍ରଦାନ କରିଥାଏ। ଦଶନ୍ଧି ଦଶନ୍ଧି ଧରି ଉଦ୍ୟାନ ଶ୍ରମିକଙ୍କ କାର୍ଯ୍ୟ ପରିସ୍ଥିତି, ବାସସ୍ଥାନ, କଲ୍ୟାଣ ଏବଂ ଚିକିତ୍ସା ସୁବିଧା ଉଦ୍ୟାନ ଶ୍ରମ ଆଇନ ୧୯୫୧ ଅନୁସାରେ ହେଉଥିଲା। ଏହି ଆଇନ ଥିଲା ଉଦ୍ୟାନ କ୍ଷେତ୍ରର ଶ୍ରମିକଙ୍କ ସୁରକ୍ଷାର ମୂଳଦୁଆ। ଯଦିଓ ଏହି ଆଇନ ସେ ସମୟରେ ଉଦ୍ୟାନ ଶ୍ରମିକଙ୍କୁ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିଥିଲା, ତେବେ ଏହାର ନିୟମ ଥିଲା ସୀମିତ। ଏଥିରେ ଥିଲା ଖଣ୍ଡ ବିଖଣ୍ଡିତ ସାମାଜିକ ସୁରକ୍ଷା ପଦକ୍ଷେପ ଏବଂ ଋତୁକାଳୀନ ତଥା ପ୍ରବାସୀ ଶ୍ରମିକଙ୍କ ପାଇଁ ଏହା କୌଣସି ପ୍ରକାର ସହାୟତା ପ୍ରଦାନ କରିପାରୁନଥିଲା।
ନୂଆ ଶ୍ରମ ସଂହିତା ବିଶେଷ କରି ବେତନ ସଂହିତା ୨୦୧୯ (ଡବ୍ଲୁସି), ବୃତ୍ତିଗତ ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟ ପରିସ୍ଥିତି (ଓଏସ୍ଏଚ୍ଆଣ୍ଡଡବ୍ଲୁସି) ସଂହିତା ୨୦୨୦ ଏବଂ ସାମାଜିକ ସୁରକ୍ଷା (ଏସ୍ଏସ୍) ସଂହିତା ୨୦୨୦ କାର୍ଯ୍ୟକାରୀ ହେବା ସହିତ ଉଦ୍ୟାନ ଶ୍ରମିକମାନଙ୍କୁ ନିୟନ୍ତ୍ରଣ କରୁଥିବା ଢାଞ୍ଚାକୁ ନବୀକରଣ, ପ୍ରଶସ୍ତ ଏବଂ ସୁଦୃଢ଼ କରାଯାଇଛି। ଏହି ସବୁ ସଂହିତା ପ୍ରାସଙ୍ଗିକ ଥିବା ସୁରକ୍ଷା ବ୍ୟବସ୍ଥାକୁ ବଜାୟ ରଖେ ଓ ସେଗୁଡ଼ିକୁ ବ୍ୟାପକ କରିଥାଏ, ଆଧୁନିକ ଶ୍ରମ ଆବଶ୍ୟକତା ସହିତ ସମନ୍ୱୟ ରଖେ, ଉଦ୍ୟାନ ଶ୍ରମିକଙ୍କୁ ଏକ ଏକୀକୃତ ଜାତୀୟ ସୁରକ୍ଷା ବ୍ୟବସ୍ଥା ଅଧୀନରେ ରଖିଥାଏ। ଏହି ସବୁ ପ୍ରାବଧାନ ଉଦ୍ୟାନ ଶ୍ରମିକମାନଙ୍କୁ ଏକ ବ୍ୟାପକ ଏବଂ ସମାନ ବ୍ୟବସ୍ଥାରେ ରଖିଥାଏ ଯାହା ସ୍ୱାସ୍ଥ୍ୟ, ସୁରକ୍ଷା, କଲ୍ୟାଣ, ସାମାଜିକ ସୁରକ୍ଷା ଏବଂ ସୁବିଧା ସୁଯୋଗର ସ୍ଥାନାନ୍ତରର ସୁବିଧା ପ୍ରଦାନ କରିଥାଏ।
ଉଦ୍ୟାନ ଶ୍ରମ ଆଇନ ୧୯୫୧ ଅଧୀନରେ ସୁରକ୍ଷା
ଉଦ୍ୟାନ ଶ୍ରମିକ ଆଇନ-୧୯୫୧ ପ୍ରଥମ ଥର ପାଇଁ ଚିକିତ୍ସା ସେବା, ବାସସ୍ଥାନ, କ୍ୟାଣ୍ଟିନ, କ୍ରେଚ୍ ଏବଂ ଉଦ୍ୟାନରେ କେତେ ଘଣ୍ଟା କାମ କରିବ ଓ କେତ ଦିନ ଛୁଟି ନେବ, ତାହାର ପ୍ରାବଧାନ ପ୍ରସ୍ତୁତ କରିଥିଲା। ତେବେ ସମୟ କ୍ରମେ ଏଥିରେ ଥିବା ସମସ୍ୟା ଅଧିକ ସ୍ପଷ୍ଟ ହୋଇଗଲା : ଯେପରିକି ସୀମିତ କାର୍ଯ୍ୟକାରୀତା, ଖଣ୍ଡ ବିଖଣ୍ଡିତ ସାମାଜିକ-ସୁରକ୍ଷା ବ୍ୟବସ୍ଥା ଏବଂ ଋତୁକାଳୀନ ତଥା ଶ୍ରମିକଙ୍କ ପାଇଁ ସର୍ବନିମ୍ନ ସହାୟତା ।
ଏହି ଆଇନରେ ଥିବା ପ୍ରମୁଖ ପ୍ରାବଧାନଗୁଡ଼ିକ ହେଲା:
- ଆଇନଗତ କାର୍ଯ୍ୟକାରୀତା: ଏହି ନିୟମ କେବଳ ସେହି କ୍ଷେତ୍ରରେ ଲାଗୁ ହେଉଥିଲା ଯେଉଁଠି ୧୫ କିମ୍ୱା ତାଠାରୁ ଅଧିକ ଶ୍ରମିକ କାମ କରୁଥିଲେ। ଏହା ସହିତ ୫ ହେକ୍ଟର ବା ଅଧିକ ଜମି ଥିବା କ୍ଷେତ୍ରରେ ଏହି ନିୟମ ଲାଗୁ ହେଉଥିଲା।
- ସୁବିଧା ଓ କଲ୍ୟାଣକାରୀ ପ୍ରାବଧାନ: ନିଯୁକ୍ତିଦାତାଙ୍କୁ ପ୍ରଦାନ କରିବାକୁ ପଡୁଥିଲା ସ୍ୱାସ୍ଥ୍ୟସେବା, ପିଇବା ପାଣି, ପାଇଖାନା ଓ ବାସଗୃହ। ୧୫୦ରୁ ଅଧିକ ଶ୍ରମିକ କାମ କରୁଥିଲେ କ୍ୟାଣ୍ଟିନ ସୁବିଧା ପ୍ରଦାନ କରିବାକୁ ମଧ୍ୟ ପଡୁଥିଲା। ୫୦ରୁ ଅଧିକ ମହିଳା ଶ୍ରମିକ ଥିଲେ ସେଠାରେ କ୍ରେଚ୍ ର ବ୍ୟବସ୍ଥା ସହିତ ଶିକ୍ଷାଦାନର ବ୍ୟବସ୍ଥା ମଧ୍ୟ କରିବାକୁ ପଡୁଥିଲା।
- କାମର ଅବଧି, ଛୁଟି ଓ ସାମାଜିକ ସୁରକ୍ଷା: ଶ୍ରମିକମାନେ ଦିନକୁ ବା ସପ୍ତାହକୁ କେତେ ଘଣ୍ଟା କାମ କରିବେ ତାହା ନିର୍ଦ୍ଧାରିତ କରାଯାଇଥିଲା। ଓଭର୍ ଟାଇମ୍ର ବ୍ୟବସ୍ଥା ମଧ୍ୟ ଥିଲା। ବର୍ଷକୁ କେତେ ଦିନ ସବୈତିନିକ କେତେ ଦିନ ଛୁଟି ନେଇପାରିବେ, ତାର ମଧ୍ୟ ନିର୍ଦ୍ଧାରିତ ହୋଇଥିଲା। ସାମାଜିକ ସୁରକ୍ଷା ଭିତରେ ଥିଲା ଗ୍ରାଚ୍ୟୁଇଟି (୫ ବର୍ଷ କାମ କରିବା ପରେ)। ମାତୃତ୍ୱ ଛୁଟିର ପ୍ରାବଧାନ ଅନ୍ୟ ଏକ ଆଇନରେ ଥିଲା। କର୍ମଚାରୀ ରାଜ୍ୟ ବୀମା (ଇଏସ୍ଆଇ) ଓ ଭବିଷ୍ୟନିଧି ପାଣ୍ଠି (ପିଏଫ୍) ସମସ୍ତ କର୍ମଚାରୀଙ୍କୁ ମିଳୁନଥିଲା।
- ମହିଳା ଶ୍ରମିକ ଓ ପ୍ରବାସୀ/ଋତୁକାଳୀନ ଶ୍ରମିକ : ରାତି ୭ଟା ଓ ସକାଳ ୬ଟା ମଧ୍ୟରେ ମହିଳାମାନେ କାମ କରିପାରିବେ ନାହିଁ ବୋଲି ପ୍ରାବଧାନ ଥିଲା। ସେହିପରି ପ୍ରବାସୀ ଓ ଋତୁକାଳୀନ ଶ୍ରମିକମାନଙ୍କୁ ଯେଉଁ ସୁବିଧା ସୁଯୋଗ ମିଳୁଥିଲା, ତାକୁ ସେମାନେ ଅନ୍ୟ ଜାଗାକୁ ସ୍ଥାନାନ୍ତର କରିପାରୁନଥିଲେ।
- ପ୍ରଶିକ୍ଷଣ ଓ ସୁରକ୍ଷା ମାନଦଣ୍ଡ: କାମ କରିବା ବେଳେ ରାସାୟନିକ ସାମଗ୍ରୀ ବ୍ୟବହାର ନେଇ ଶ୍ରମିକମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେବାର କିମ୍ୱା ସୁରକ୍ଷା ପ୍ରଦାନ କରିବାର କୌଣସି ନିର୍ଦ୍ଦିଷ୍ଟ ପ୍ରାବଧାନ ନଥିଲ

ଏକ ବ୍ୟାପକ ଆଇନ ଅଧୀନରେ ଅନ୍ତର୍ଭୁକ୍ତି ଓ ସ୍ୱୀକୃତି
ନୂଆ ଶ୍ରମ ସଂହିତା ସହିତ ଉଦ୍ୟାନ ଶ୍ରମିକଙ୍କ ସୁରକ୍ଷାରେ ଆସିଛି ପରିବର୍ତ୍ତନ। ଆଗରୁ ଯେଉଁ ସୀମିତ ତଥା ଖଣ୍ଡବିଖଣ୍ଡିତ ସୁରକ୍ଷା ବ୍ୟବସ୍ଥା ଥିଲା, ତାହା ଏକ ମଜଭୁତ, ସଂପ୍ରସାରିତ ଓ କଲ୍ୟାଣ ଆଧାରିତ ବ୍ୟବସ୍ଥାରେ ପରିଣତ ହୋଇଛି। ୧୦ କିମ୍ୱା ତାଠାରୁ ଅଧିକ ଶ୍ରମିକ ନିୟୋଜିତ ଥିଲେ ବା ଜମିର ପରିମାଣ ୫ ହେକ୍ଟର ବା ତଠାରୁ ଅଧିକ ଥିବା ସମସ୍ତ କ୍ଷେତ୍ର ବର୍ତ୍ତମାନ ଏହି ନିୟମ ଅଧୀନରେ ଆସିବେ।
ଏହା ଉଦ୍ୟାନ ଶ୍ରମିକଙ୍କୁ ଗୋଟିଏ ଏକୀକୃତ ଶ୍ରମ ବ୍ୟବସ୍ଥା ଅଧୀନକୁ ଆଣିଛି ଯେଉଁଠି ବେତନ, ସୁରକ୍ଷା, କାର୍ଯ୍ୟସ୍ଥଳୀ ପରିବେଶ, ସୁବିଧା ସୁଯୋଗ ଓ ସାମାଜିକ ସୁରକ୍ଷା ପରି ସମସ୍ତ ପ୍ରମୁଖ ବ୍ୟବସ୍ଥା ଏକା ସାଙ୍ଗରେ ପରିଚାଳିତ ହେବେ।
ଶ୍ରମିକ ଓ ସେମାନଙ୍କ ପରିବାରର ସୁଖ ସୁବିଧାକୁ ଆହୁରି ସୁଦୃଢ଼ କରୁଛି ଶ୍ରମ ସଂହିତା :
ଏହି ଶ୍ରମ ସଂହିତା ଉଦ୍ୟାନ ଶ୍ରମିକଙ୍କ ପାଇଁ ମଜଭୁତ ସ୍ୱାସ୍ଥ୍ୟ ଓ କଲ୍ୟାଣକାରୀ ମାନଦଣ୍ଡର ବ୍ୟବସ୍ଥା ପ୍ରସ୍ତୁତ କରିଛି। ଏହା ସିଧାସଳଖ ଉଦ୍ୟାନ ଶ୍ରମିକ ଓ ସେମାନଙ୍କ ପରିବାରର ଜୀବନ ଧାରଣର ମାନକୁ ଅଧିକ ଉନ୍ନତ କରିଛି। ଏହି ସବୁ ପ୍ରାବଧାନ ଶ୍ରମିକଙ୍କ ଜୀବନକୁ ଆହୁରି ସୁଖଦ କରିବା ସହିତ ଶ୍ରମିକଙ୍କୁ ପ୍ରଦାନ କରିଛି ଏକ ସୁସ୍ଥ ଓ ଅଧିକ ସନ୍ତୁଳିତ ପରିବେଶ।
- ବାଧ୍ୟତାମୂଳକ ଇଏସ୍ଆଇ ବ୍ୟବସ୍ଥା: କର୍ମଚାରୀ ରାଜ୍ୟ ବୀମାରେ ଉଦ୍ୟାନ ଶ୍ରମିକମାନଙ୍କୁ କରାଯାଇଛି ସାମିଲ। ଏହା ଦ୍ୱାରା ଏହି କ୍ଷେତ୍ରରେ କାମ କରୁଥିବା ଶ୍ରମିକ ଓ ସେମାନଙ୍କ ପରିବାରକୁ ନିଯୁକ୍ତିଦାତା କିମ୍ୱା ଇଏସ୍ଆଇ ଚିକିତ୍ସା ସୁବିଧା ପ୍ରଦାନ କରିବ।
- ଉନ୍ନତ ବାସଗୃହ: ନିଯୁକ୍ତିଦାତା ଶ୍ରମିକ ଓ ସେମାନଙ୍କ ପରିବାରକୁ ବାସଗୃହ ଯୋଗାଇ ଦେବାକୁ ବାଧ୍ୟ। ସେହି ବାସଗୃହରେ ନିଶ୍ଚିତ ଥିବ ପାଣି ସୁବିଧା, ରୋଷେଇ ଘର ଓ ପାଇଖାନା। ସିଧାସଳଖ ଭାବେ କିମ୍ୱା ସରକାରୀ ନ ହେଲେ ମ୍ୟୁନ୍ସିପାଲଟିର ବିଭିନ୍ନ ଯୋଜନା ଜରିଆରେ ଏହାକୁ କାର୍ଯ୍ୟକାରୀ କରାଯିବ।
- ଶ୍ରମିକଙ୍କ ପରିବାର ପାଇଁ କଲ୍ୟାଣକାରୀ ଯୋଜନା : ଠିକା ଶ୍ରମିକଙ୍କୁ ମିଶାଇ ଯଦି ୧୦୦ ବା ତାଠାରୁ ଅଧିକ ଶ୍ରମିକ କାମ କରୁଛନ୍ତି, ତେବେ କ୍ୟାଣ୍ଟିନ ବ୍ୟବସ୍ଥା କରିବାକୁ ପଡ଼ିବ।
- ୫୦ କିମ୍ୱା ତାଠାରୁ ଅଧିକ ମହିଳା କାମ କରୁଥିଲେ କ୍ରେଚ୍ ବ୍ୟବସ୍ଥା କରିବାକୁ ପଡ଼ିବ। ନିଯୁକ୍ତିଦାତା ନିଜର କିମ୍ୱା ଅନ୍ୟ କୌଣସି ସଂସ୍ଥା ସହିତ ମିଳିତ ଭାବେ ଏହି କ୍ରେଚ୍ ବ୍ୟବସ୍ଥା କରିବେ।
- ଯଦି ସମସ୍ତ ଶ୍ରମିକଙ୍କ ପିଲା ସଂଖ୍ୟା ୨୫ କିମ୍ୱା ଅଧିକ ହୁଅନ୍ତି,ତେବେ ୬ରୁ ୧୨ ବର୍ଷର ପିଲାଙ୍କ ପାଇଁ ଶିକ୍ଷାଦାନର ବ୍ୟବସ୍ଥାକୁ ପଡ଼ିବ।
ନିଯୁକ୍ତିଦାତା ସିଧାସଳଖ ନିଜେ ଏହି ସବୁ ସୁବିଧା ପ୍ରଦାନ କରିବେ କିମ୍ୱା ସରକାରୀ ଅବା ମ୍ୟୁନସିପାଲଟି ଯୋଜନା ଅନୁସାରେ ଏହି ସବୁ ବ୍ୟବସ୍ଥା କରିବେ।
ସମନ୍ୱିତ, ସୁରକ୍ଷିତ ଓ ଅଧିକ ନିୟାମାନୁଦିତ କାର୍ଯ୍ୟସ୍ଥଳୀ
ଏହି ନୂଆ ଶ୍ରମ ସଂହିତା ସମସ୍ତ ଉଦ୍ୟାନ କ୍ଷେତ୍ରରେ ସୃଷ୍ଟି କରିଥାଏ ଏକ ସୁରକ୍ଷିତ, ଅଧିକ ସ୍ଥିର ଓ କର୍ମଚାରୀ ଅନୁକୂଳ ପରିବେଶ
- କାମର ଅବଧି ଓ ଛୁଟି : କାମ କରିବାର ଏକ ନିର୍ଦ୍ଧାରିତ ସମୟ, ଓଭର ଟାଇମ୍ ପ୍ରାପ୍ୟ, ବିଶ୍ରାମର ସମୟ ଓ ସବୈତନିକ ଛୁଟି ବର୍ତ୍ତମାନ ପ୍ରତ୍ୟେକ ଶିଳ୍ପ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଛି।
- ସୁରକ୍ଷା ଓ ପ୍ରଶିକ୍ଷଣର ଆବଶ୍ୟକତା : ଓଏସ୍ଏଚ୍ଆଣ୍ଡଡବ୍ଲୁସି ସଂହିତା ଅଧୀନରେ ଦୁର୍ଘଟଣା ଏଡ଼ାଇବାକୁ ନିଯୁକ୍ତିଦାତା ଶ୍ରମିକମାନଙ୍କୁ ନିଶ୍ଚିତ ଭାବେ ସୁରକ୍ଷା ଉପକରଣ ପ୍ରଦାନ କରିବେ । ଏହା ସହିତ ରାସାୟନିକ ପଦାର୍ଥକୁ କେମିତି ସୁରକ୍ଷିତ ଭାବେ ବ୍ୟବହାର କରାଯିବ, ରଖାଯିବ, ପ୍ରୟୋଗ କରାଯିବ, ତାର ଟ୍ରେନିଂ ଶ୍ରମିକମାନଙ୍କୁ ପ୍ରଦାନ କରାଯିବ। ଏହା ସହିତ କୌଣସି ପ୍ରକାରର ଅଘଟଣକୁ ଏଡ଼ାଇବା ପାଇଁ ସୁରକ୍ଷା ଉପକରଣର ବ୍ୟବହାର ନେଇ ମଧ୍ୟ ଦିଆଯିବ ଟ୍ରେନିଂ।
ଉଦ୍ୟାନ ଶ୍ରମିକମାନେ ସ୍ପଷ୍ଟ ଏବଂ ଅଧିକ ପୂର୍ବାନୁମାନଯୋଗ୍ୟ କାର୍ଯ୍ୟ ସୂଚୀରୁ ଉପକୃତ ହୁଅନ୍ତି। ଏହା ସୁସ୍ଥ କାର୍ଯ୍ୟ ସନ୍ତୁଳନ ସୁନିଶ୍ଚିତ କରେ। ଉନ୍ନତ ସୁରକ୍ଷା ମାନଦଣ୍ଡ ଏବଂ ଉତ୍ତମ ତାଲିମ ସହାୟତା ସହିତ ସାମଗ୍ରିକ କାର୍ଯ୍ୟକ୍ଷେତ୍ରର କଲ୍ୟାଣ ଏବଂ ସୁରକ୍ଷାରେ ଅଧିକ ସ୍ଥିରତା ଆସିଛି।
ବ୍ୟାପକ ସାମାଜିକ ସୁରକ୍ଷା ଓ ପୋର୍ଟେବିଲିଟି
- ସମନ୍ୱିତ ସାମାଜିକ ସୁରକ୍ଷା କଭରେଜ୍ : ସାମାଜିକ ସୁରକ୍ଷା ସଂହିତା ଅଧୀନରେ ସାମାଜିକ ସୁରକ୍ଷା ଲାଭକୁ ଅଧିକ ବ୍ୟାପକ କରି ଏଥିରେ ପ୍ରୋଭିଡେଣ୍ଡ ଫଣ୍ଡ ଓ ପେନସନ୍/ ବାର୍ଦ୍ଧକ୍ୟ ସୁରକ୍ଷାକୁ ସାମିଲ କରାଯାଇଛି। ୫ ବର୍ଷ କାମ କରିବା ପରେ ଗ୍ରାଚ୍ୟୁଟି ମିଳିବ। ନିର୍ଦ୍ଦିଷ୍ଟ ଅବଧି ନିଯୁକ୍ତିରେ ବର୍ଷେ ପରେ କର୍ମଚାରୀଙ୍କୁ ମିଳିବ ଗ୍ରାଚ୍ୟୁଟି।
- ପ୍ରବାସୀ ଓ ଋତୁକାଳୀନ ଶ୍ରମିକଙ୍କ ପାଇଁ ପୋର୍ଟାବିଲିଟି : ପ୍ରବାସୀ ଓ ଋତୁକାଳୀନ ଶ୍ରମିକମାନେ ସାମାଜିକ ସୁରକ୍ଷାରେ ଗୋଟିଏ ସ୍ଥାନରେ ଯେଉଁ ସବୁ ସୁବିଧା ପାଆନ୍ତି, ସେସବୁ ଅନ୍ୟ ସ୍ଥାନରେ ମଧ୍ୟ ପାଇ ପାରିବେ। ଆଧାର ପଂଜୀକରଣ ଜରିଆରେ ଏହି ପୋର୍ଟେବିଲିଟି କରିହେବ। ଆଧାର ଆଧାରିତ ଡିଜିଟାଲ ପଂଜୀକରଣ ଜରିଆରେ ପିଏଫ୍, ଇଏସ୍ଆଇ ଓ ଗ୍ରାଚ୍ୟୁଟି ପରି ସୁବିଧାକୁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଓ ଜଣେ ନିଯୁକ୍ତିଦାତାରୁ ଅନ୍ୟ ନିଯୁକ୍ତିଦାତାକୁ ସ୍ଥାନାନ୍ତରକ କରିହେବ।

ଉଦ୍ୟାନ ଶ୍ରମିକମାନଙ୍କ ପାଇଁ ନୂଆ ନିୟମ ପ୍ରଦାନ କରିଥାଯଏ ଦୀର୍ଘମିଆଦୀ ଆର୍ଥିକ ସୁରକ୍ଷା ଓ ଅଧିକ ସ୍ଥିରତା। ପ୍ରବାସୀ ଓ ଋତୁକାଳୀନ ଶ୍ରମିକ ଯେଉଁଠି ବି କାମ କରିବେ ବିନା କୌଣସି ସମସ୍ୟାରେ ଅତି ସହଜରେ ସେମାନଙ୍କୁ ମିଳୁଥିବା ସୁବିଧା ସେମାନେ ପାଇପାରିବେ।
ଜୀବନ ଓ ପାରିବାରିକ ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ ମହିଳାମାନଙ୍କର ଆବଶ୍ୟକତା କଣ, ତାହା ଚିହ୍ନଟ କରି ନୂଆ ଶ୍ରମ ସଂହିତା ସେମାନଙ୍କ ପାଇଁ ଉଲ୍ଲେଖନୀୟ ଭାବେ ଅଧିକ ସୁଯୋଗ ପ୍ରଦାନ କରିଥାଏ ଓ ସହାୟତା ଯୋଗାଇ ଦେଇଥାଏ।
- ଅଧିକ ନିଯୁକ୍ତିର ସୁଯୋଗ: ମହିଳାଙ୍କୁ ରାତିରେ କାମ କରିବାର ସୁଯୋଗ ପ୍ରଦାନ କରିଛି ନୂଆ ଶ୍ରମ ସଂହିତା। ଏବେ ନିଜ ସମ୍ମତିରେ ସେମାନେ ସକାଳ ୬ଟା ପୂର୍ବରୁ ଓ ରାତି ୭ଟା ପରେ ମଧ୍ୟ କାମ କରିପାରିବେ। ଏଥିପାଇଁ ଯଥେଷ୍ଟ ସୁରକ୍ଷା ପ୍ରଦାନ କରିବେ ନିଯୁକ୍ତିଦାତା।
- ଅନୁକୂଳ ଭିତ୍ତିଭୂମି:ମହିଳା ଶ୍ରମିକଙ୍କ ପାଇଁ କ୍ରେଚ୍ ଓ ମାତୃତ୍ୱ ସୁରକ୍ଷାର ଗ୍ୟାରେଣ୍ଟି ମିଳିଛି। ମାତୃତ୍ୱ ଲାଭ ମଧ୍ୟରେ ରହିଛି ୨୬ ସପ୍ତାହର ସବୈତନିକ ଛୁଟି ଓ ନର୍ସିଂର ବିରତି।
ମହିଳା କର୍ମଚାରୀଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ, ସୁରକ୍ଷା ଓ ସମାନତା:
ମହିଳାମାନଙ୍କୁ ବର୍ତ୍ତମାନ ମିଳୁଛି ବ୍ୟାପକ ଓ ସୁରକ୍ଷିତ ନିଯୁକ୍ତିର ସୁଯୋଗ। ମାତୃତ୍ୱ ଓ ଶିଶୁ ଲାଳନ ପାଳନରେ ଅଧିକ ସହାୟତା ମିଳିବା ଯୋଗୁଁ ମହିଳାମାନେ କାମ ଓ ପରିବାର ମଧ୍ୟରେ ସନ୍ତୁଳନ ରକ୍ଷା କରିପାରିବେ। ଏହା ସେମାନଙ୍କ ରୋଜଗାରକୁ ସ୍ଥିରତା ପ୍ରଦାନ କରିଛି।
ଶେଷ କଥା
ଦେଶର କୃଷି କ୍ଷେତ୍ରକୁ ଯେଉଁମାନେ ସମ୍ଭାଳିଛନ୍ତି, ସେମାନଙ୍କ ପାଇଁ ଏହି ନୂଆ ଶ୍ରମିକ ସଂହିତା ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ସାବ୍ୟସ୍ତ ହେବ। ଉନ୍ନତ ସ୍ୱାସ୍ଥ୍ୟ ସେବା, ସୁରକ୍ଷିତ କର୍ମସ୍ଥଳୀ, ଭଲ ବାସଗୃହ ଓ ସାମଗ୍ରିକ ସୁରକ୍ଷା ସହିତ ଏହି ନୂଆ ଶ୍ରମ ସଂହିତା ଶ୍ରମିକ, ସେମାନଙ୍କ ପରିବାର, ମହିଳା ଓ ପ୍ରବାସୀଙ୍କ ପାଇଁ ଆଣିଛି ସୁଯୋଗ ଓ ସୁରକ୍ଷା । ଏହା ଅଧିକ ସମାନତାର ମାନବସମ୍ୱଳ ସୃଷ୍ଟି କରିବ।
ଏହି ସବୁ ପରିବର୍ତ୍ତନ ଉଦ୍ୟାନ ଶ୍ରମିକଙ୍କ ପାଇଁ ଅଧିକ ସୁରକ୍ଷିତ ଓ ଆତ୍ମବିଶ୍ୱାସ ଭରା ଯାତ୍ରାର ନୂଆ ଆରମ୍ଭର ସଂକେତ ପ୍ରଦାନ କରୁଛି ଯେଉଁଠି ଅଧିକ ସୁରକ୍ଷା କେବଳ ନିରାପଦ ଆଣେ ନାହିଁ ବରଂ ଆଗାମ ଦିନରେ ପ୍ରଗତି ଓ ସମ୍ଭାବନାର ଅନୁଭବ କରାଇଥାଏ।
BSP
(तथ्य सामग्री आईडी: 150561)
आगंतुक पटल : 8
Provide suggestions / comments