ରାଷ୍ଟ୍ରପତିଙ୍କ ସଚିବାଳୟ

ଭାରତୀୟ ବନ ସେବା ଶିକ୍ଷାନବିଷ(2016 ବ୍ୟାଚ୍)ଙ୍କୁ ସାକ୍ଷାତ କରିବା ଅବସରରେ ରାଷ୍ଟ୍ରପତିଙ୍କ ଅଭିଭାଷଣ

ପୋଷ୍ଟ କରାଯିବା ଦିନାଙ୍କ: 03 AUG 2017 5:30PM by PIB Bhubaneswar

ମୋ ପାଇଁ ଏହା ସୁଖର ବିଷୟ ଯେ ମୁଁ ଆଜି ଆପଣମାନଙ୍କ ଗହଣରେ ଅଛି । ମୁଁ ରାଷ୍ଟ୍ରପତି ଭବନରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଏବଂ ଏହି ପ୍ରକାରର କଠିନ ତଥା ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇଁ ଅଭିନନ୍ଦନ ଜଣାଉଛି ।

ଆପଣମାନେ ଏକ ସଚ୍ଚୋଟ ପେସା ବାଛିଛନ୍ତି । ଭାରତୀୟ ପ୍ରକୃତି ଏବଂ ସଂସ୍କୃତି ପାଇଁ ଜଙ୍ଗଲ ସର୍ବଦା ବିଶେଷ ଗୁରୁତ୍ୱବହନ କରିଆସିଛି । ଆମ ସଭ୍ୟତା ନିଜ ବୌଦ୍ଧିକତା ଏବଂ ଆଧ୍ୟାତ୍ମିକତାର ଶକ୍ତି ଜଙ୍ଗଲରୁ ହିଁ ପ୍ରାପ୍ତ କରିଛି । ସେଥିଲାଗି ଜଙ୍ଗଲ ଆମ ପାଇଁ କେବଳ ସମ୍ବଳ ନୁହେଁ ବରଂ ଏହା ସାଂସ୍କୃତିକ, ବୌଦ୍ଧିକ ଏବଂ ଆଧ୍ୟାତ୍ମିକ ଉତ୍ତରାଧିକାର ସମାହିତ କରି ରଖିଛି । ଏବେ ଏହି ଉତ୍ତରାଧିକାରକୁ ସୁରକ୍ଷିତ କରି ରଖିବାର ଦାୟିତ୍ୱ ବନ ସେବା ଅଧିକାରୀଙ୍କ ଉପରେ ରହିଛି । ପରିବେଶ ସୁରକ୍ଷା ଏବଂ ଦେଶର ସାମଗ୍ରୀକ ବିକାଶ ମଧ୍ୟରେ ସାମଞ୍ଜସ୍ୟ ଆଣିବାର ଉତ୍ତରଦାୟିତ୍ୱ ବନ ଅଧିକାରୀଙ୍କ ଉପରେ ରହିଛି । 

ଗତ କିଛି ଦଶନ୍ଧୀ ଧରି ମାନବଜାତି ନିଜ ଅସ୍ତିତ୍ୱର ବିପଦ ପ୍ରତି ସଚେତନ ହୋଇଛି ଯେଉଁଥିରେ ପରିବେଶ ପ୍ରଦୂଷଣ, ବନ କ୍ଷେତ୍ରର ହ୍ରାସ ଏବଂ ସବୁଠୁ ଅଧିକ ବିଶ୍ୱ ତାପନ ବୃଦ୍ଧି କାରଣରୁ ଜଳବାୟୁ ପରିବର୍ତ୍ତନ ଆଦି ସାମିଲ ରହିଛି ।

ଯେମିତିକି ଆପଣମାନେ ଜାଣନ୍ତି ଜଟିଳ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ଭାରତ ବିଶ୍ୱସ୍ତରରେ ନେତୃତ୍ୱ ପ୍ରଦାନ କରୁଛି । ଆମର ଜଙ୍ଗଲ ନୀତି ଅନୁଯାୟୀ, 33 ପ୍ରତିଶତ ଭୂମି ଜଙ୍ଗଲ ଆଚ୍ଛାଦିତ ହେବା ଆବଶ୍ୟକ । 

ଜଙ୍ଗଲ ଗ୍ରୀନ୍ ହାଉସ୍ ଗ୍ୟାସରେ ହ୍ରାସ ଆଣିପାରିବ ଏବଂ ଏହାଦ୍ୱାରା ବିଶ୍ୱ ତାପମାତ୍ରା ବୃଦ୍ଧିକୁ ନିୟନ୍ତ୍ରିତ କରାଯାଇପାରିବ । ଆମ ଦେଶରେ 2030 ସୁଦ୍ଧା 2.5ରୁ 3 ବିଲିୟନ୍ ଟନ୍ କାର୍ବନ ନିର୍ଗମନରେ ହ୍ରାସ ଆଣିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ଜଙ୍ଗଲ ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ସହ ଲଢ଼ିବାରେ ଆମକୁ ସହାୟତା କରିପାରିବ ।

-ସମୁଦ୍ର ତଟବର୍ତ୍ତୀ ଇଲାକାରେ ଗ୍ରୀଷ୍ମମଣ୍ଡଳୀୟ ଜଙ୍ଗଲ ଆମକୁ ଘୂର୍ଣ୍ଣିବାତ୍ୟା ଏବଂ ସୁନାମୀରୁ ରକ୍ଷା କରିଥାଏ ।

-ପାର୍ବତ୍ୟ ଜଙ୍ଗଲ ମାଟିକୁ ସଂରକ୍ଷିତ ରଖିଥାଏ ଏବଂ ଏହାଦ୍ୱାରା ଭୂସ୍ଖଳନ ଏବଂ ବନ୍ୟାରୁ ସୁରକ୍ଷା ମିଳିଥାଏ ।

-ଜଙ୍ଗଲ ଆମକୁ ମରୁଡ଼ିରୁ ରକ୍ଷା କରିଥାଏ ଏବଂ କୃଷି ଉତ୍ପାଦନରେ ବୃଦ୍ଧି କରିଥାଏ ।

କୋଟି କୋଟି ଲୋକ ବିଶେଷ କରି ଆଦିବାସୀ ନିଜ ଜୀବିକା ପାଇଁ ଜଙ୍ଗଲ ଉପରେ ନିର୍ଭର କରିଥାନ୍ତି । ଆମକୁ ସେମାନଙ୍କର ମୌଳିକ ଆବଶ୍ୟକତା, ଖାଦ୍ୟ, ଜାଳେଣି, ପଶୁଖାଦ୍ୟ ଆଦି ପ୍ରତି ସମ୍ବେଦନଶୀଳ ହେବାକୁ ପଡ଼ିବ । ଏମାନେ ସରଳ ଏବଂ କଠିନ ପରିଶ୍ରମୀ ଏବଂ ସେମାନେ ଆପଣଙ୍କ ମାର୍ଗଦର୍ଶନ ଏବଂ ଆଶ୍ୱାସନା ଉପରେ ନିର୍ଭର କରିଥାନ୍ତି ।

ଆମ ଦେଶ ଯୁଗ୍ମ ଜଙ୍ଗଲ ପରିଚାଳନା ମଡେଲ ବିକଶିତ କରିଛି, ଯାହା “ଯତ୍ନ ଏବଂ ଭାଗ” ନୀତି ଉପରେ ଆଧାରିତ । ଏହା ଭାଗୀଦାରୀ ଆଭିମୁଖ୍ୟ ଉପରେ ଆଧାରିତ, ଯାହାକି ଜଙ୍ଗଲ ପରିଚାଳନାରେ ସ୍ଥାନୀୟ ଲୋକ ଏବଂ ଗୋଷ୍ଠୀଙ୍କୁ ସମ୍ପୃକ୍ତ କରାଇତାଏ । ଏହି ଲୋକ ଏବଂ ଗୋଷ୍ଠୀମାନଙ୍କ ସହିତ ନମିଶି ଆପଣମାନେ ନିଜର ଦାୟିତ୍ୱ ସମ୍ପାଦନ କରିପାରିବେ ନାହିଁ ।

ଆପଣମାନେ ଲୋକସେବାକୁ ଚୟନ କରିଛନ୍ତି ଏବଂ ଆପଣମାନେ ପରିବେଶ ତଥା ପରିବେଶ ବିଜ୍ଞାନ ଭଳି ବିଶେଷ କ୍ଷେତ୍ରରେ ଦେଶର ସୈନିକ ଅଟନ୍ତି । ଆପଣମାନେ ନିଜ ସେବା ନ୍ୟାୟପୂର୍ଣ୍ଣ ଭାବରେ, ସଚ୍ଚୋଟତାର ସହ ବିନା ଭୟ ତଥା ଏପରି ଢଙ୍ଗରେ କରିବେ ଯାହାଦ୍ୱାରା ଦେଶ ଏବଂ ସାଧାରଣ ନାଗରିକ ଉଭୟ ଲାଭାନ୍ୱିତ ହୋଇପାରିବେ ।

ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଏବଂ ଆମେ ଆମ ପାଇଁ କଠିନ ଲକ୍ଷ୍ୟ ଧାର୍ଯ୍ୟ କରିଛୁ । ଆପଣମାନଙ୍କୁ ପରିବେଶ ସଂରକ୍ଷଣର ଆବଶ୍ୟକତା ଏବଂ ବିକାଶର ଚାହିଦା ମଧ୍ୟରେ ସମନ୍ୱୟ ରଖିବାକୁ ହେବ । ସମସ୍ୟା ସୃଷ୍ଟି କରିବା ନୁହେଁ ବରଂ ସମାଧାନ କରିବା ଆପଣମାନଙ୍କ କର୍ତ୍ତବ୍ୟ ।

ବନସେବା ଏକ ଆହ୍ୱାନପୂର୍ଣ୍ଣ ପେସା । ବର୍ତମାନସୁଦ୍ଧା ଏହା ନିର୍ଦ୍ଦିଷ୍ଟ ଲୋକମାନଙ୍କ ମଧ୍ୟରେ ସୀମିତ ହୋଇ ରହିଥିଲା କିନ୍ତୁ ଏହି ଧାରା ବଦଳିବା ସୁଖର କଥା । ଅଧିକରୁ ଅଧିକ ମହିଳା ଭାରତୀୟ ବନ ସେବାରେ ଯୋଗ ଦେବା ଉତ୍ସାହଜନକ ।

କଠିନ ପରିଶ୍ରମ ଏବଂ ସମର୍ପଣ ଦ୍ୱାରା ମହିଳା ଅଧିକାରୀମାନେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିପାରିବେ ବୋଲି ମୁଁ ଆଶା କରୁଛି । ମହିଳା ବନ ଅଧିକାରୀମାନେ ଲିଙ୍ଗଗତ ଭେଦଭାବ ଦୂର କରିବା ସହ ଆପଣଙ୍କ ବିଭାଗରେ ଏକ ନୂତନ ଚିନ୍ତାଧାରା ନେଇ କାମ କରିବେ । ଏହା ଦେଶ ପାଇଁ ଏକ ସ୍ୱାଗତଯୋଗ୍ୟ ଲକ୍ଷ୍ୟଣ ।

ମୁଁ ଆପଣମାନଙ୍କୁ ଦୀର୍ଘସ୍ଥାୟୀ ଏବଂ ପରିପୂର୍ଣ୍ଣ ବୃତ୍ତି ପାଇଁ ଶୁଭେଚ୍ଛା ଜଣାଉଛି ।

ଜୟ ହିନ୍ଦ!


(ରିଲିଜ ଆଡି: 1498721) ପରିଦର୍ଶକ କାଉଣ୍ଟର : 19