ରେଳ ମନ୍ତ୍ରଣାଳୟ
ମୁମ୍ବାଇର ଅନ୍ଧେରୀ ଷ୍ଟେସନ ରେଳ ଟ୍ରାକରେ ଏକ ରୋଡ୍ ଓଭରବ୍ରିଜର କିଛି ଅଂଶ ଭୁଶୁଡ଼ି 5 ଆହତ
प्रविष्टि तिथि:
03 JUL 2018 3:40PM by PIB Bhubaneswar
ଦୁର୍ଘଟଣାରେ କେହି ପ୍ରାଣ ହରାଇନାହାନ୍ତି । 5 ଜଣ ଆହତ ହୋଇଛନ୍ତି ଏବଂ ୱେଷ୍ଟର୍ଣ୍ଣ ସହରତଳି ରୁଟର ଗୋରେଗାଓଁ ଷ୍ଟେସନ ଏବଂ ବାନ୍ଦ୍ରା ଷ୍ଟେସନ ମଧ୍ୟରେ ରେଳ ଚଳାଚଳ ବ୍ୟାହତ ହୋଇଛି । ବରିଷ୍ଠ ରେଳ ଅଧିକାରୀମାନେ ଦୁର୍ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ଏବଂ ରାତି ସୁଦ୍ଧା ରେଳ ଯାତାୟାତ ସୁଗମ ହୋଇପାରିବ ।
ୱେଷ୍ଟର୍ଣ୍ଣ ରେଲୱେର ମୁମ୍ବାଇ ଡିଭିଜନ ଅନ୍ତର୍ଗତ ଭିଲେପାର୍ଲେ-ଅନ୍ଧେରୀ ସେକ୍ସନ ମଧ୍ୟରେ ଅନ୍ଧେରୀ ରେଳ ଷ୍ଟେସନ ନିକଟରେ ଏକ ରୋଡ୍ ଓଭରବ୍ରିଜର କିଛି ଅଂଶ (ପଥଚାରୀମାନଙ୍କ ଯାତାୟାତ ପାଇଁ ଉଦ୍ଦିଷ୍ଟ) ଆଜି ସକାଳ 7ଟା 30ରେ ଭୁଶୁଡ଼ି ପଡ଼ିଛି । ଏହା ରେଳ ଟ୍ରାକ ଉପରେ ପଡ଼ିବାରୁ ଓଭରହେଡ୍ ଇଲେକ୍ଟ୍ରିକ୍ ଲାଇନ (21/7 କି.ମି.) ଛିଣ୍ଡି ଯାଇଛି । ତେଣୁ ଗୋରେଗାଓଁ ଓ ବାନ୍ଦ୍ରା ଷ୍ଟେସନ ମଧ୍ୟରେ ଅପ୍ ଏବଂ ଡାଉନ ଲାଇନ ମଧ୍ୟରେ ସମସ୍ତ ଟ୍ରେନ ଚଳାଚଳ ବନ୍ଦ ରହିଛି । ଏହି ଦୁର୍ଘଟଣାରେ 5 ଜଣ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ କୁପର ହସପିଟାଲରେ ଭର୍ତ୍ତି କରାଯାଇଛି । ରେଲୱେ ଡାକ୍ତରଙ୍କ ଏକ ସ୍ୱତନ୍ତ୍ର ଟିମ୍ ଆହତମାନଙ୍କ ଚିକିତ୍ସା କରୁଛନ୍ତି । ଏନଡିଆରଏଫ୍, ବିପର୍ଯ୍ୟୟ ପରିଚାଳନା ଟିମ୍, ଅଗ୍ନିଶମ ବାହିନୀ, ୱେଷ୍ଟର୍ଣ୍ଣ ରେଲୱେର ଅତିରିକ୍ତ ଜେନେରାଲ ମ୍ୟାନେଜର, ମୁମ୍ବାଇର ଡିଭିଜନାଲ ରେଲୱେ ମ୍ୟାନେଜର ଏବଂ ରେଲୱେର ବରିଷ୍ଠ ଅଧିକାରୀମାନେ ଦୁର୍ଘଟଣାସ୍ଥଳରେ ମରାମତି କାର୍ଯ୍ୟ ତଦାରଖ କରୁଛନ୍ତି ।
ଏହି ଦୁର୍ଘଟଣା ଯୋଗୁ ୱେଷ୍ଟର୍ଣ୍ଣ ସହରତଳି ରୁଟର ଗୋରେଗାଓଁ ଷ୍ଟେସନ ଏବଂ ବାନ୍ଦ୍ରା ଷ୍ଟେସନ ମଧ୍ୟରେ ରେଳ ଚଳାଚଳ ବ୍ୟାହତ ହୋଇଛି । ତେବେ ବିରାର୍-ଗୋରେଗାଓଁ ଏବଂ ବାନ୍ଦ୍ରା-ଚର୍ଚ୍ଚଗେଟ୍ ଷ୍ଟେସନ ମଧ୍ୟରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ରହିଛି । ଏହି ଦୁର୍ଘଟଣାର ତଦନ୍ତ କରିବେ ୱେଷ୍ଟର୍ଣ୍ଣ ସର୍କଲର ରେଳ ନିରାପତ୍ତା କମିଶନର । ଦୁର୍ଘଟଣା ପରେ ବୋରିଭଲି-ବାନ୍ଦ୍ରା ଷ୍ଟେସନ ମଧ୍ୟରେ ଅଟକି ରହିଥିବା ଯାତ୍ରୀଙ୍କ ଯାତାୟାତ ସୁବିଧା କରିବାକୁ ୱେଷ୍ଟର୍ଣ୍ଣ ରେଲୱେ ପକ୍ଷରୁ 27ଟି ବସର ବ୍ୟବସ୍ଥା କରାଯାଇଥିଲା । ଯାତ୍ରୀଙ୍କ ପାଇଁ ଖାଦ୍ୟ ପ୍ୟାକେଟ ମଧ୍ୟ ପ୍ରଦାନ କରାଯାଇଥିଲା । ଘଟଣା ସମ୍ପର୍କରେ ତାଜା ସୂଚନା ୱେଷ୍ଟର୍ଣ୍ଣ ରେଲୱେ ପକ୍ଷରୁ ଏଫ୍ଏମ୍ ଚ୍ୟାନେଲ, ଟ୍ୱିଟର, ଫେସବୁକ୍, ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ପ୍ରଦାନ କରାଯାଉଛି । ଦ୍ୱିପ୍ରହର 2ଟା ସୁଦ୍ଧା ହାର୍ବର ଲାଇନ (ଆନ୍ଧେରୀ-ଭିଲେପାର୍ଲେ) ମଧ୍ୟରେ ରେଳ ଚଳାଚଳ ସମ୍ଭବ ହେବ ବୋଲି ଆଶା କରାଯାଉଛି । ଦୁର୍ଘଟଣା ଯୋଗୁ କେତେକ ଦୂରଗାମୀ ଟ୍ରେନର ସମୟ ମଧ୍ୟ ପ୍ରଭାବିତ ହୋଇଛି ।
ରେଲୱେର ହେଲ୍ପଲାଇନ ନମ୍ବର; ଅନ୍ଧେରୀ 022-67630054, ଚର୍ଚ୍ଚଗେଟ୍ 022-67622540, ବୋରିଭଲି 022-67634053, ମୁମ୍ବାଇ ସେଣ୍ଟ୍ରାଲ 022-67644257 ଏବଂ ସୁରଟ 0261-2401791 ।
**************
(रिलीज़ आईडी: 1537454)
आगंतुक पटल : 26