ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆରଡବ୍ଲୁଏ ପଦାଧିକାରୀ ଏବଂ ଦିଲ୍ଲୀର ଅନଧିକୃତ କଲୋନି ବାସୀନ୍ଦାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
• ପିଏମ-ଉଦୟ (ପ୍ରଧାନମନ୍ତ୍ରୀ-ଦିଲ୍ଲୀରେ ଅନଧିକୃତ କଲୋନି ଆବାସ ଅଧିକାର ଯୋଜନା) ଜରିଆରେ ଦିଲ୍ଲୀର 40 ଲକ୍ଷରୁ ଊର୍ଦ୍ଧ୍ଵ ବାସୀନ୍ଦାଙ୍କୁ ମିଳିବ ମାଲିକାନା ଅଧିକାର
• ଐତିହାସିକ ନିଷ୍ପତ୍ତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ଅନଧିକୃତ କଲୋନି ବାସୀନ୍ଦା
• 2022 ସୁଦ୍ଧା ସମସ୍ତଙ୍କୁ ଆବାସ ଯୋଗାଣ ପାଇଁ ସରକାରଙ୍କ ସଂକଳ୍ପକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
08 NOV 2019 9:14PM by PIB Bhubaneswar
ଦିଲ୍ଲୀର ଅନଧିକୃତ କଲୋନିରେ ରହୁଥିବା 40 ଲକ୍ଷରୁ ଊର୍ଦ୍ଧ୍ଵ ବାସୀନ୍ଦାଙ୍କୁ ସେମାନଙ୍କ ଆବାସର ମାଲିକାନା ଏବଂ ବନ୍ଧକ/ହସ୍ତାନ୍ତର ଅଧିକାର ପ୍ରଦାନ ଲାଗି ନିକଟରେ କେନ୍ଦ୍ର କ୍ୟାବିନେଟ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିପାଇଁ ଅନଧିକୃତ କଲୋନିର ସଦସ୍ୟ ଏବଂ ଦିଲ୍ଲୀ ନିବାସୀ କଲ୍ୟାଣ ପରିଷଦ ପକ୍ଷରୁ ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।
ଏହି ଅବସରରେ କେନ୍ଦ୍ର ଆବାସ ଏବଂ ସହରାଂଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ପୁରୀ, ଦିଲ୍ଲୀ ସାଂସଦ ମନୋଜ ତିୱାରୀ, ହଂସ ରାଜ ହଂସ ଏବଂ ବିଜୟ ଗୋଏଲଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ନିଷ୍ପତ୍ତି ପଛରେ ଉଦ୍ଦେଶ୍ୟ ହେଉଛି “ସବକା ସାଥ ସବକା ବିକାଶ” । ପ୍ରଧାନମନ୍ତ୍ରୀ ପୁଣି କହିଥିଲେ ଯେ ଏହି ନିଷ୍ପତ୍ତି ରାଜନୀତି ଠାରୁ ଊଦ୍ଧ୍ୱର୍ରେ । ଧର୍ମ ଏବଂ ରାଜନୈତିକ ମାନ୍ୟତା ନିର୍ବିଶେଷରେ ଏହି ନିଷ୍ପତ୍ତି ପ୍ରତ୍ୟେକ ଲୋକ ପାଇଁ ନିଆଯାଇଛି । ସ୍ଥାନୀୟ ସାଂସଦ, ବିଧାୟକ ଏବଂ କଲୋନିର ଅନ୍ୟ ବାସୀନ୍ଦାଙ୍କ ସମେତ ବିଭିନ୍ନ ବର୍ଗର ଲୋକଙ୍କଠାରୁ ବ୍ୟାପକ ପରାମର୍ଶ ନିଆଯିବା ପରେ ପିଏମ-ଉଦୟ ଯୋଜନାର ଆରମ୍ଭ କରାଯାଇଥିବା ସେ କହିଥିଲେ ।
ପ୍ରଧାନମନ୍ତ୍ରୀ ଏହାକୁ ଦିଲ୍ଲୀବାସୀନ୍ଦାଙ୍କ ବିଜୟ ବୋଲି ବର୍ଣ୍ଣନା କରିଥିଲେ ଯେଉଁମାନେ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଲାଗି ଅତୀତରେ ସବୁ ସରକାରଙ୍କୁ ସହାୟତା କରିବା ପାଇଁ ପ୍ରୟାସ କରିଥିଲେ । ସେ କହିଥିଲେ, କେନ୍ଦ୍ର ସରକାର ଏହି ବାସୀନ୍ଦାଙ୍କ ଜୀବନରେ ଥିବା ଅସ୍ଥିରତା ଏବଂ ଅନିଶ୍ଚିତତାକୁ ଦୂର କରିବା ଉଦ୍ଦେଶ୍ୟରେ ସେମାନଙ୍କୁ ମାଲିକାନା/ହସ୍ତାନ୍ତର ଅଧିକାର ପ୍ରଦାନ କରିବା ପାଇଁ ଆଇନ ଆଣିବା ନିମନ୍ତେ ନିଷ୍ପତ୍ତି ନେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, ବର୍ତ୍ତମାନ ଏହି ନିଷ୍ପତ୍ତି ଦ୍ୱାରା ବହୁ ଦଶନ୍ଧି ଧରି ସେମାନଙ୍କ ଜୀବନରେ ଥିବା ଅନିଶ୍ଚିତତା ଦୂର ହୋଇଛି ଏବଂ ସେମାନେ ଉଚ୍ଛେଦ ଓ ସ୍ଥାନାନ୍ତର ଭୟ ବିନା ନିଜ ସ୍ୱପ୍ନ ପୂରଣ ପାଇଁ ଶାନ୍ତିରେ ପ୍ରୟାସ କରିପାରିବେ । ସେ କହିଥିଲେ, “ଏହା ସମ୍ପୂର୍ଣ୍ଣ ଦିଲ୍ଲୀର ଭାଗ୍ୟ ବଦଳାଇଦେବ । ଦିଲ୍ଲୀର ଭାଗ୍ୟ ସହିତ ଦେଶର ଭାଗ୍ୟ ମଧ୍ୟ ବଦଳିବ ।”
ଦେଶର ବହୁ ଦଶନ୍ଧି ପୁରୁଣା ଅଧୋଗତି ସମ୍ପର୍କରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାଧୀନତା ପରେ ଦେଶରେ ନିଷ୍ପତ୍ତି ନେବାରୁ ଦୂରେଇ ରହିବା, ନିଷ୍ପତ୍ତିକୁ ବିଳମ୍ବିତ କରିବା ଏବଂ ପ୍ରସଙ୍ଗରୁ ଦୂରେଇ ଯିବାର ସଂସ୍କୃତି ବିକଶିତ ହୋଇଥିଲା । ଏହା ଆମର ଜୀବନରେ ଅସ୍ଥିରତା ଆଣିଥିଲା ।
ଜମ୍ମୁ ଓ କଶ୍ମୀର ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅନୁଚ୍ଛେଦ 370ର ଅସ୍ଥାୟୀ ବ୍ୟବସ୍ଥା ଦେଶରେ ଅସ୍ଥିରତା ଓ ଦ୍ୱନ୍ଦ୍ୱ ସୃଷ୍ଟି କରୁଥିଲା । ସେହିପରି ତିନି ତଲାକ ଭଳି ପ୍ରସଙ୍ଗ ଗୃହିଣୀଙ୍କ ଜୀବନକୁ ନର୍କରେ ପରିଣତ କରିଦେଇଥିଲା । ଏହି ଦୁଇଟି ବିସଂଗତି ସରକାର ଦୂର କରିଛନ୍ତି । ଅନୁରୂପ ଭାବେ କଲୋନିର 40 ଲକ୍ଷ ବାସୀନ୍ଦାଙ୍କ ମନରୁ ଉଚ୍ଛେଦର ଭୟ ଦୂର କରିବା କାମ ସରକାର କରିଛନ୍ତି ।
ମଧ୍ୟବିତ୍ତ ନାଗରିକଙ୍କ ପାଇଁ ଅସମ୍ପୂର୍ଣ୍ଣ ଆବାସିକ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ଲାଗି ନିକଟରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଏହା ଦେଶରେ 4.5 ଲକ୍ଷ ଗୃହ କ୍ରେତାଙ୍କୁ ସହାୟତା କରିବ ଏବଂ ସେମାନଙ୍କ ଜୀବନରେ ଶାନ୍ତି ଆସିବ ।
ସେ କହିଥିଲେ ପିଏମ-ଉଦୟ ଯୋଜନା ଦ୍ୱାରା ଦିଲ୍ଲୀର ଏହି ହିତାଧିକାରୀଙ୍କ ଜୀବନରେ ନୂତନ ସୂର୍ଯ୍ୟ ଉଦୟ ହେବ ।
2022 ସୁଦ୍ଧା ସମସ୍ତଙ୍କୁ ବାସଗୃହ ଯୋଗାଇ ଦେବା ଲାଗି ତାଙ୍କ ସରକାରଙ୍କ ସଂକଳ୍ପକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ ।
ପିଏମ-ଉଦୟ ଯୋଜନାର ପୃଷ୍ଠଭୂମି :
ଅକ୍ଟୋବର 23, 2019ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଦିଲ୍ଲୀର ଅନଧିକୃତ କଲୋନି ବାସୀନ୍ଦାଙ୍କୁ ମାଲିକାନା/ହସ୍ତାନ୍ତର ଅଧିକାର ଦେବା ପ୍ରସ୍ତାବକୁ ଅନୁମୋଦନ କରିଥିଲେ ।
ଏହାକୁ ଲାଗୁ କରିବା ପାଇଁ 29 ଅକ୍ଟୋବର 2019ରେ ଏକ ନିୟାମକ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।
ବାସୀନ୍ଦାମାନଙ୍କୁ ସାଧାରଣ ପାୱାର ଅଫ ଆଟର୍ଣ୍ଣି (ଜିପିଏ), ଇଚ୍ଛାପତ୍ର, ବିକ୍ରି ଚୁକ୍ତି, ପଇଠ ଏବଂ ଅଧିଗ୍ରହଣ କାଗଜାତ ଆଦି ଆଧାରରେ ସମ୍ପତ୍ତିର ମାଲିକାନା ପ୍ରଦାନ କରିବା ପାଇଁ ଏକ ବିଲ ସଂସଦର ଆଗାମୀ ଅଧିବେଶନରେ ଉପସ୍ଥାପନ କରିବା ପ୍ରସ୍ତାବକୁ ମଧ୍ୟ କେନ୍ଦ୍ର କ୍ୟାବିନେଟ ମଞ୍ଜୁର କରିଥିଲେ ।
ବର୍ତ୍ତମାନର ଆଇନ ଅନୁଯାୟୀ, ସର୍କଲ ଦର ବଦଳରେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସର୍ବନିମ୍ନ ଦରରେ ରେଜିଷ୍ଟ୍ରେସନ ଚାର୍ଜ ଓ ଷ୍ଟାମ୍ପ ଡ୍ୟୁଟି ଲାଗୁ କରିବା ପାଇଁ ଏହି ପ୍ରସ୍ତାବିତ ବିଲରେ ବ୍ୟବସ୍ଥା ରହିଛି । ଏସବୁ ଛାଡ଼ କେବଳ ଥରକ ପାଇଁ ଅନଧିକୃତ କଲୋନି ବାସୀନ୍ଦାଙ୍କୁ ସେମାନଙ୍କ ସ୍ୱତନ୍ତ୍ର ପରିସ୍ଥିତିକୁ ଦୃଷ୍ଟିରେ ରଖି ମିଳିଛି ।
**********
(रिलीज़ आईडी: 1591090)
आगंतुक पटल : 60