ପଞ୍ଚାୟତିରାଜ ମନ୍ତ୍ରଣାଳୟ
azadi ka amrit mahotsav

24 ଘଣ୍ଟିଆ ସିପିଗ୍ରାମ୍ସ ପୋର୍ଟାଲରେ ଅଭିଯୋଗର ମିଳିଲା ସୁଫଳ




ଅନୁଗୁଳ ଜିଲ୍ଲା ଗୋଣ୍ଡସାହିରେ ନଳକୂପ ସମସ୍ୟାର ହେଲା ସମାଧାନ

2022ରୁ 2024 ମଧ୍ୟରେ 70 ଲକ୍ଷରୁ ଅଧିକ ଅଭିଯୋଗ ସମାଧାନ

ଦକ୍ଷ ନାଗରିକ କେନ୍ଦ୍ରିକ ପ୍ରଶାସନର ପ୍ରତୀକ ପାଲଟିଛି ସିପିଗ୍ରାମ୍ସ ପୋର୍ଟାଲ

ପୋଷ୍ଟ କରାଯିବା ଦିନାଙ୍କ: 06 NOV 2025 8:25PM by PIB Bhubaneswar

ସାଧାରଣ ନାଗରିକଙ୍କ ଆପତ୍ତି ଅଭିଯୋଗ ଶୁଣିବା ଏବଂ ସେମାନଙ୍କର ମୌଳିକ ସମସ୍ୟାର ସମାଧାନ କରିବା ଲାଗି କେନ୍ଦ୍ର ସରକାର ଆଧୁନିକ ପ୍ରଯୁକ୍ତି ବିଦ୍ୟାର ସଦୁପଯୋଗ କରୁଛନ୍ତି । ସେଭଳି ଏକ ସୁବିଧା ଦେଇଛି କେନ୍ଦ୍ରିକୃତ ସାଧାରଣ ଅଭିଯୋଗ ନିବାରଣ ଏବଂ ନିରୀକ୍ଷଣ ପ୍ରଣାଳୀ (ସିପିଗ୍ରାମ୍ସ) ପୋର୍ଟାଲ। କେନ୍ଦ୍ର ସରକାରଙ୍କ ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଏହି 24 ଘଣ୍ଟିଆ ଅନଲାଇନ ପୋର୍ଟାଲରେ ସାଧାରଣ ଲୋକମାନେ ସେମାନଙ୍କର ଅଭିଯୋଗ ଦାଖଲ କରିବା ସହିତ ଏହାର ତୁରନ୍ତ ସମାଧାନ ପାଇପାରୁଛନ୍ତି। 

 



ଏହାର ଏକ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଓଡ଼ିଶାର ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍‌ ସାନହୁଲା ପଞ୍ଚାୟତ ସିମିଳିଆ ଦାଣ୍ଡି ଗାଁର ଗୋଣ୍ଡସାହିରେ । ଏହି ଗାଁରେ ବର୍ଷେ ହେବ ଗୋଟିଏ ନଳକୂପ ନିର୍ମାଣ ଏବଂ କାର୍ଯ୍ୟକ୍ଷମ ହୋଇଥିଲା, କିନ୍ତୁ ଏହାର ଚାରିପାଖରେ ପ୍ଲାଟଫର୍ମ ନିର୍ମାଣ କରାଯାଇନଥିଲା। ଫଳରେ ନଳକୂପ ବ୍ୟବହାର କରୁଥିବା ବୟସ୍କ ବ୍ୟକ୍ତି ଏବଂ ଛୋଟ ପିଲାଙ୍କ ପ୍ରତି ବିପଦ ରହିଥିଲା। ଏହାଛଡ଼ା ନଳକୂପର ନିମ୍ନ ଭାଗରେ କଳଙ୍କି ଲାଗି ଏହା ନଷ୍ଟ ହେବା ସହିତ ପାଣି ଦୂଷିତ ହେବାର ଆଶଙ୍କା ଦେଖା ଦେଇଥିଲା। ସ୍ଥାନୀୟ ବାସିନ୍ଦା ସୁଶ୍ରୀ ଗୀତାଞ୍ଜଳି ସାହୁ ଏ ସଂକ୍ରାନ୍ତରେ ସିପିଗ୍ରାମ୍ସ ପୋର୍ଟାଲରେ ଗତ ସେପ୍ଟେମ୍ବର 3 ତାରିଖରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ତରଫରୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯିବା ପରେ ଏହି ସମସ୍ୟାର ତୁରନ୍ତ ସମାଧାନ ହୋଇଛି । ବର୍ତ୍ତମାନ ନଳକୂପ ଚାରି ପାଖରେ ମଜବୁତ ପକ୍କା ଢାଞ୍ଚା ବା ପ୍ଲାଟଫର୍ମ ନିର୍ମାଣ କରାଯିବା ସହିତ କଳଙ୍କି ନଲାଗିବା ପାଇଁ ନିମ୍ନଭାଗରେ ଏକ ସ୍ୱତନ୍ତ୍ର ପ୍ରଲେପ ଦିଆଯାଇଛି। ଫଳରେ ଗାଁ ଲୋକମାନେ ସୁରକ୍ଷିତ ଭାବେ ସ୍ୱଚ୍ଛ ପାନୀୟ ଜଳ ପାଇପାରୁଛନ୍ତି। ଏ ନେଇ ଅଭିଯୋଗକାରୀ ଏବଂ ଗ୍ରାମବାସୀ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । 
ସୂଚନାଯୋଗ୍ୟ ସିପିଗ୍ରାମ୍ସ ପୋର୍ଟାଲରେ ଇଂରାଜୀ ସମେତ 22ଟି ଭାରତୀୟ ଭାଷାରେ ଅଭିଯୋଗ ଦାଖଲ କରାଯାଇପାରିବ। ପୋର୍ଟାଲ ମାଧ୍ୟମରେ ଅଭିଯୋଗକୁ ଭାରତ ସରକାରଙ୍କ ଭିନ୍ନ ଭିନ୍ନ ମନ୍ତ୍ରଣାଳୟ ଓ ବିଭାଗକୁ ସମାଧାନ ପାଇଁ ପ୍ରେରଣ କରାଯାଇଥାଏ। ଅଭିଯୋଗକାରୀ ସମାଧାନକୁ ନେଇ ସନ୍ତୁଷ୍ଟ ନଥିଲେ ପୁନର୍ବାର ଆବେଦନ କରିବାର ସୁବିଧା ରହିଛି । ଭାରତ ସରକାରଙ୍କ କାର୍ମିକ ଓ ସାଧାରଣ ଅଭିଯୋଗ ଓ ପେନସନ ପ୍ରଶାସନ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ସିପି ଗ୍ରାମ୍ସ ପୋର୍ଟାଲରେ 2022ରୁ 2024 ମଧ୍ୟରେ 70 ଲକ୍ଷରୁ ଅଧିକ ଅଭିଯୋଗର ସମାଧାନ କରାଯାଇଛି । ଦକ୍ଷ ଅଭିଯୋଗ ସମାଧାନ ସୁବିଧା ପ୍ରଦାନ କରି ଏହା ନାଗରିକ କେନ୍ଦ୍ରିକ ପ୍ରଶାସନର ପ୍ରତୀକ ପାଲଟିଛି।
*******
PS


(ରିଲିଜ ଆଡି: 2187125) ପରିଦର୍ଶକ କାଉଣ୍ଟର : 17