ଯୋଗାଯୋଗ ମନ୍ତ୍ରଣାଳୟ
azadi ka amrit mahotsav

ଗ୍ଲୋବାଲ୍ ସିଷ୍ଟମ୍ ଫର୍ ମୋବାଇଲ୍ କମ୍ୟୁନିକେସନ୍ସ ଆସୋସିଏସନ୍‌ (ଜିଏସଏମଏ) ବୋର୍ଡ ସଦସ୍ୟଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଲୋଚନା


ସମାବେଶୀ ଓ ସ୍ଥାୟୀ ବିକାଶର ସାଧନ ହେବା ଆବଶ୍ୟକ ପ୍ରଯୁକ୍ତିବିଦ୍ୟା: ପ୍ରଧାନମନ୍ତ୍ରୀ

ସାଇବର ଠକେଇର ମୁକାବିଲା ପାଇଁ ପ୍ରଯୁକ୍ତିଭିତ୍ତିକ ସମାଧାନ ଆବଶ୍ୟକ: ପ୍ରଧାନମନ୍ତ୍ରୀ

ଭାରତର ଡିଜିଟାଲ ରୂପାନ୍ତରଣ ଓ ବୃଦ୍ଧି ପାଉଥିବା ବିଶ୍ୱସ୍ତରୀୟ ପ୍ରଯୁକ୍ତି ସହଭାଗିତାକୁ ଜିଏସ୍‌ଏମ୍‌ଏ ବୋର୍ଡ ସଦସ୍ୟଙ୍କ ପ୍ରଶଂସା

ପୋଷ୍ଟ କରାଯିବା ଦିନାଙ୍କ: 07 OCT 2026 5:23PM by PIB Bhubaneswar

 

ଇଣ୍ଡିଆ ମୋବାଇଲ୍ କଂଗ୍ରେସ (ଆଇଏମ୍‌ସି) ୨୦୨୬ ପୂର୍ବରୁ, ସେବା ତୀର୍ଥଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ଲୋବାଲ୍ ସିଷ୍ଟମ୍ ଫର୍ ମୋବାଇଲ୍ କମ୍ୟୁନିକେସନ୍ସ ଆସୋସିଏସନ୍ (ଜିଏସ୍‌ଏମ୍‌ଏ)ର ବୋର୍ଡ ସଦସ୍ୟମାନଙ୍କ ସହ ଆଲୋଚନା କରିଛନ୍ତି। ଜିଏସ୍‌ଏମ୍‌ଏ ହେଉଛି ଏକ ବିଶ୍ୱସ୍ତରୀୟ ସଂଗଠନ, ଯାହା ମୋବାଇଲ୍ ଇକୋସିଷ୍ଟମ୍‌କୁ ଏକତ୍ରିତ କରିଥାଏ। ଏହା ମୋବାଇଲ୍ ଅପରେଟର୍‌ ଏବଂ ମୋବାଇଲ୍ ଇକୋସିଷ୍ଟମ୍‌ ସହ ସଂପୃକ୍ତ ବିଭିନ୍ନ ସଂଗଠନ ତଥା ଏହାର ସହଯୋଗୀ କ୍ଷେତ୍ରଗୁଡ଼ିକର ପ୍ରତିନିଧିତ୍ୱ କରିଥାଏ।

ଏହି ଆଲୋଚନାରେ କେନ୍ଦ୍ର ଯୋଗାଯୋଗ ଓ ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ଯୋଗାଯୋଗ ଓ ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ପେମାସାନୀ ଚନ୍ଦ୍ରଶେଖର ଏବଂ ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

 

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ସମାବେଶୀ ଓ ସ୍ଥାୟୀ ବିକାଶର ଏକ ସାଧନ ଭାବେ ପ୍ରଯୁକ୍ତିବିଦ୍ୟା ବ୍ୟବହୃତ ହେବା ଆବଶ୍ୟକ। ସମାଜର କୌଣସି ବର୍ଗ ଯେପରି ପଛରେ ନ ରହିଯାଏ, ତାହା ସୁନିଶ୍ଚିତ କରିବା ପାଇଁ ପ୍ରଯୁକ୍ତିବିଦ୍ୟାର ଗଣତାନ୍ତ୍ରିକୀକରଣ ଅତ୍ୟନ୍ତ ଆବଶ୍ୟକ ବୋଲି ସେ କହିଥିଲେ। ବିଶେଷକରି ଗ୍ଲୋବାଲ୍ ସାଉଥ୍‌ (ବିକାଶଶୀଳ ଦେଶଗୁଡ଼ିକ) ପାଇଁ ପ୍ରଯୁକ୍ତିବିଦ୍ୟା ଓ ଡିଜିଟାଲ୍ ସେବାକୁ ସୁଲଭ ଏବଂ ସହଜଲବ୍ଧ କରିବାର ଆବଶ୍ୟକତା ଉପରେ ସେ ଜୋର ଦେଇଥିଲେ। ଡିଜିଟାଲ୍ ବିଭାଜନ ଯେପରି ବୃଦ୍ଧି ନ ପାଏ, ସେଥିପାଇଁ ପ୍ରଯୁକ୍ତିବିଦ୍ୟାକୁ ସମାଜର ଶେଷ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବାର ଗୁରୁତ୍ୱକୁ ସେ ଦର୍ଶାଇଥିଲେ।

ପ୍ରଧାନମନ୍ତ୍ରୀ ଡିଜିଟାଲ୍ ପବ୍ଲିକ୍ ଇନଫ୍ରାଷ୍ଟ୍ରକ୍ଚର (ଡିପିଆଇ)ର ପରିବର୍ତ୍ତନକାରୀ କ୍ଷମତା ଉପରେ ଗୁରୁତ୍ୱାରୋପ କରିଥିଲେ, ବିଶେଷକରି ବିକାଶଶୀଳ ଦେଶଗୁଡ଼ିକ ପାଇଁ ଏହାର ଗୁରୁତ୍ୱ ଉଲ୍ଲେଖ କରିଥିଲେ। ଅନେକ ବିଶ୍ୱ ନେତାଙ୍କ ସହ ଡିପିଆଇ ସମ୍ପର୍କିତ ଆଲୋଚନା ଏହାର ବଢୁଥିବା ବିଶ୍ୱସ୍ତରୀୟ ପ୍ରାସଙ୍ଗିକତାକୁ ପ୍ରମାଣିତ କରିଛି ବୋଲି ସେ କହିଥିଲେ। ଗ୍ଲୋବାଲ୍ ସାଉଥ୍‌ର ଦେଶଗୁଡ଼ିକ ପାଇଁ ଏଭଳି ଡିଜିଟାଲ୍ ପ୍ଲାଟଫର୍ମଗୁଡ଼ିକ ଏକ ନୂତନ ଉନ୍ନତିର ଆଧାର ଭାବେ କାର୍ଯ୍ୟ କରିପାରିବ ବୋଲି ସେ ମତ ପ୍ରକାଶ କରିଥିଲେ।

 

ବଢୁଥିବା ଡିଜିଟାଲ୍ ଓ ସାଇବର ଠକେଇର ଆହ୍ୱାନକୁ ନେଇ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ସମସ୍ୟାର ମୁକାବିଲା ପାଇଁ ପ୍ରଯୁକ୍ତିଭିତ୍ତିକ ସମାଧାନର ଆବଶ୍ୟକତା ରହିଛି। ସମ୍ଭାବ୍ୟ ଜାଲିଆତି କଲ୍‌ ସମ୍ପର୍କରେ ଲୋକଙ୍କୁ ସତର୍କ କରିବା ପାଇଁ ଉପଭୋକ୍ତାମାନଙ୍କୁ ନିରନ୍ତର ସଚେତନତା ବାର୍ତ୍ତା ପ୍ରଦାନ କରିବାକୁ ସେ ପରାମର୍ଶ ଦେଇଥିଲେ।

 

ଉଦୀୟମାନ ପ୍ରଯୁକ୍ତିବିଦ୍ୟାଗୁଡ଼ିକ ପାଇଁ ବିଶ୍ୱସ୍ତରୀୟ ମାନଦଣ୍ଡ ଓ ସାଧାରଣ ନିୟମାବଳୀର ଆବଶ୍ୟକତା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଡିପ୍‌ଫେକ୍‌ ଏବଂ ଏଆଇ ଦ୍ୱାରା ସୃଷ୍ଟ ବିଷୟବସ୍ତୁର ବଢୁଥିବା ବିପଦକୁ ନେଇ, ଏହାର ଉତ୍ସକୁ ବ୍ୟବହାରକାରୀମାନେ ତୁରନ୍ତ ଚିହ୍ନଟ କରିପାରିବେ, ଏଭଳି ବ୍ୟବସ୍ଥା ବିକଶିତ କରିବାର ସମ୍ଭାବନା ଅନୁସନ୍ଧାନ କରିବାକୁ ସେ ପରାମର୍ଶ ଦେଇଥିଲେ।

 

ଭାରତର ଡିଜିଟାଲ୍ ରୂପାନ୍ତରଣକୁ ଜିଏସ୍‌ଏମ୍‌ଏ ବୋର୍ଡ ସଦସ୍ୟମାନଙ୍କ ସ୍ୱୀକୃତି

 

ଜିଏସଏମଏ ବୋର୍ଡ ସଦସ୍ୟମାନେ ଡିଜିଟାଲ୍ ଏବଂ ମୋବାଇଲ୍ ସଂଯୋଗ କ୍ଷେତ୍ରରେ ଭାରତର ବିଶ୍ୱସ୍ତରୀୟ ନେତୃତ୍ୱର ଉଦୟକୁ ଉଲ୍ଲେଖ କରିଥିଲେ। ୪ଜି ଏବଂ ୫ଜି ର ଦ୍ରୁତ ବିସ୍ତାର, ଡିଜିଟାଲ୍ ପବ୍ଲିକ୍ ଇନଫ୍ରାଷ୍ଟ୍ରକ୍ଚରର ବ୍ୟାପକତା ଏବଂ ଭାରତର ଟେଲିକମ୍ ଓ ମୋବାଇଲ୍ ଉତ୍ପାଦନ ପରିସଂସ୍ଥାର ବିକାଶକୁ ସେମାନେ ଉଲ୍ଲେଖ କରିଥିଲେ।

 

ସେମାନେ ଭାରତର ପୁଞ୍ଜି ବିନିଯୋଗ ଅନୁକୂଳ ନୀତି ଢାଞ୍ଚାକୁ ପ୍ରଶଂସା କରିଥିଲେ ପ୍ରଶଂସା କରିଥିଲେ ଏବଂ ନିରନ୍ତର ଡିଜିଟାଲ୍ ଅଭିବୃଦ୍ଧିକୁ ସମର୍ଥନ କରିବାରେ ସୁରକ୍ଷିତ, ସୁଦୃଢ଼ ଓ ବିଶ୍ୱସନୀୟ ଡିଜିଟାଲ୍ ଭିତ୍ତିଭୂମିର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ।

 

ବୋର୍ଡ ସଦସ୍ୟମାନେ ୫ଜି, ୬ଜି, ଏଆଇ, ସାଇବର ସିକ୍ୟୁରିଟି, ଡିଜିଟାଲ ସମାବେଶ ଏବଂ ଉପଗ୍ରହ ସଂଯୋଗ ଭଳି କ୍ଷେତ୍ରରେ ଭାରତ ସହିତ ଅନ୍ତର୍ଜାତୀୟ ସହଯୋଗ ପାଇଁ ବଢୁଥିବା ସୁଯୋଗ ଉପରେ ମଧ୍ୟ ଆଲୋକପାତ କରିଥିଲେ।

 

ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଶ୍ୱସ୍ତରୀୟ ଟେଲିକମ୍ ଯୋଗାଯୋଗ ଭାରତର ପ୍ରଯୁକ୍ତି ସହଭାଗିତାକୁ ସୁଦୃଢ଼ କରୁଛି

 

ଭାରତ ନୂଆଦିଲ୍ଲୀରେ ଇଣ୍ଡିଆ ମୋବାଇଲ୍ କଂଗ୍ରେସର ୧୦ମ ସଂସ୍କରଣ ଆୟୋଜନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏହି ଆଲୋଚନା ଅନୁଷ୍ଠିତ ହୋଇଛି। ଏଥିରେ ବିଶ୍ୱର ପ୍ରମୁଖ ପ୍ରଯୁକ୍ତି ଓ ଟେଲିକମ୍ ନେତୃବୃନ୍ଦ ଏକାଠି ହେବେ।

 

କେନ୍ଦ୍ରମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ନୂତନ ପିଢ଼ିର ସଂଯୋଗ ବ୍ୟବସ୍ଥା ଓ ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତର ଅନ୍ତର୍ଜାତୀୟ ଯୋଗାଯୋଗର ନେତୃତ୍ୱ ନେଇଆସୁଛନ୍ତି। ବାର୍ସିଲୋନାରେ ଅନୁଷ୍ଠିତ ମୋବାଇଲ୍ ୱାର୍ଲ୍ଡ କଂଗ୍ରେସ ୨୦୨୬ରେ ସେ ବିଶ୍ୱ ଟେଲିକମ୍ ଇକୋସିଷ୍ଟମ୍ ସହିତ ଭାରତର ଯୋଗାଯୋଗର ନେତୃତ୍ୱ ନେଇଥିଲେ ଏବଂ ସଂଯୋଗ ବ୍ୟବସ୍ଥାକୁ ଅଧିକ ସୁଲଭ, ସମାବେଶୀ ଓ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଉପରେ ଜିଏସ୍‌ଏମ୍‌ଏ ମନ୍ତ୍ରୀସ୍ତରୀୟ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ।

 

ବିଶ୍ୱସ୍ତରୀୟ ପ୍ରଯୁକ୍ତିବିଦ୍ୟା ନେତୃବୃନ୍ଦଙ୍କ ସହ ଭାରତର ଯୋଗାଯୋଗ ଟେଲିକମ୍ କ୍ଷେତ୍ରର ଭବିଷ୍ୟତ ଗଠନରେ ଦେଶର ବଢୁଥିବା ଭୂମିକାକୁ ପ୍ରତିଫଳିତ କରୁଛି। ଏଥିରେ ୬ଜିର ବିକାଶ, ସୁରକ୍ଷିତ ଡିଜିଟାଲ୍ ଭିତ୍ତିଭୂମି, କୃତ୍ରିମ ବୁଦ୍ଧିମତ୍ତା ଏବଂ ବିଶ୍ୱସ୍ତରରେ ପରସ୍ପର ସହଯୋଗୀ ହୋଇପାରୁଥିବା ପ୍ରଯୁକ୍ତି ମାନଦଣ୍ଡ ଅନ୍ତର୍ଭୁକ୍ତ।

 

ପରବର୍ତ୍ତୀ ପିଢ଼ିର ସଂଯୋଗୀକରଣ ବ୍ୟବସ୍ଥା ଓ ଡିଜିଟାଲ୍ ପବ୍ଲିକ୍ ଇନଫ୍ରାଷ୍ଟ୍ରକ୍ଚର ସମ୍ପର୍କିତ ବିଶ୍ୱସ୍ତରୀୟ ଆଲୋଚନାରେ ଭାରତର ଅବଦାନ ବଢୁଥିବା ପରିପ୍ରେକ୍ଷୀରେ, ଜିଏସ୍‌ଏମ୍‌ଏ ବୋର୍ଡ ସହ ଏହି ଆଲୋଚନା ବିଶ୍ୱ ମୋବାଇଲ୍ ଇକୋସିଷ୍ଟମ ସହ ଭାରତର ସହଭାଗିତାକୁ ଆହୁରି ସୁଦୃଢ଼ କରିଛି।

 

*****

MT


(ରିଲିଜ ଆଡି: 2321165) ପରିଦର୍ଶକ କାଉଣ୍ଟର : 2
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Punjabi , Gujarati , Telugu , Kannada