ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ
azadi ka amrit mahotsav

ଓଡ଼ିଶାର ୫ ଲକ୍ଷ ଗରିବ ପରିବାରକୁ ମିଳିବ ପକ୍କା ଘର, ପିଏମ୍ ଆବାସ ଯୋଜନାରେ ତତ୍କାଳ ମଞ୍ଜୁରୀ


ବଲାଙ୍ଗିରରୁ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ବଡ଼ ଘୋଷଣା: ଓଡ଼ିଶାକୁ ମିଳିବ ୫ ଲକ୍ଷ ନୂଆ ଆବାସ

ଓଡ଼ିଶାରେ ୨୯ ଲକ୍ଷ ମହିଳା ‘ଲକ୍ଷପତି ଦିଦି’, ପ୍ରତି ପଞ୍ଚାୟତକୁ ମିଳିବ ବିକାଶ ପାଇଁ ବଡ଼ ଅନୁଦାନ: ଶ୍ରୀ ଚୌହାନ

ମୋଦୀ-ମୋହନଙ୍କ ଡବଲ୍ ଇଞ୍ଜିନ୍ ସରକାରରେ ବିକଶିତ ଓଡ଼ିଶା ଗଠନର ମହାଯଜ୍ଞ ଜାରି: ଶ୍ରୀ ଚୌହାନ

ଚାଷୀଙ୍କ ସେବା ହିଁ ଈଶ୍ୱରଙ୍କ ପୂଜା, ବଲାଙ୍ଗୀର କୃଷି ମହାବିଦ୍ୟାଳୟକୁ ଦେଶର ଶ୍ରେଷ୍ଠ ଅନୁଷ୍ଠାନ କରାଯିବ: କୃଷିମନ୍ତ୍ରୀ

ବିକଶିତ ଭାରତ ଗଠନରେ ବିକଶିତ ଓଡ଼ିଶା, ‘ବିକଶିତ ଭାରତ-ଜି ରାମ୍ ଜି’ ଯୋଜନାରେ ବଦଳିବ ଗାଁର ଚିତ୍ର: କୃଷିମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 14 NOV 2026 6:41PM by PIB Bhubaneswar

ନୂଆଦିଲ୍ଲୀ: କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଆଜି ଓଡ଼ିଶାର ବଲାଙ୍ଗୀରଠାରେ ଆୟୋଜିତ 'ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ' (ପିଏମ୍‍ଏୱାଇ-ଜି)ର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶାର ଗରିବ, ଚାଷୀ ଏବଂ ମହିଳାମାନଙ୍କ ପାଇଁ ଅନେକ ଭେଟି ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ ଘୋଷଣା କରିଛନ୍ତି ଯେ ଓଡ଼ିଶାର ଗରିବ ପରିବାରଗୁଡ଼ିକୁ ତତ୍କାଳ ୫ ଲକ୍ଷ ପକ୍କା ଘର ଦିଆଯିବ ଏବଂ ପ୍ରତ୍ୟେକ ଯୋଗ୍ୟ ପରିବାରକୁ ଘର ମିଳିବ। ଏହି ଅବସରରେ ବଲାଙ୍ଗୀରଠାରେ ନୂତନ କୃଷି କଲେଜର ଶିଳାନ୍ୟାସ ମଧ୍ୟ କରାଯାଇଛି। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହ ଦେଓଙ୍କ ସମେତ ଆଞ୍ଚଳିକ ବିଧାୟକ ଶ୍ରୀ ନବୀନ କୁମାର ଜୈନ, ଶ୍ରୀ ଲକ୍ଷ୍ମଣ ବାଗ ଏବଂ ସୁଶ୍ରୀ ରୂପା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଶ୍ରୀ ଚୌହାନ କହିଛନ୍ତି ଯେ ଆବାସ ପାଇଁ ଏବେ ସଠିକ୍ ସର୍ଭେ ହୋଇସାରିଛି ଏବଂ କୌଣସି ବି ଗରିବ କଚ୍ଚା ଝୁମ୍ପୁଡ଼ିରେ ରହିବେ ନାହିଁ, ସମସ୍ତଙ୍କୁ ପର୍ଯ୍ୟାୟକ୍ରମେ ପକ୍କା ଘର ମିଳିବ। ଏଥିସହ ଘର ଉପରେ ସୋଲାର ପ୍ୟାନେଲ ଲଗାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ସବସିଡି ଦେବେ, ଯାହାଦ୍ୱାରା ବିଜୁଳି ବିଲ୍ ଶୂନ ହେବ ଏବଂ ଅତିରିକ୍ତ ବିଜୁଳି ବିକ୍ରି କରି ଲୋକମାନେ ରୋଜଗାର ମଧ୍ୟ କରିପାରିବେ।

ଓଡ଼ିଶାରେ ୨୯ ଲକ୍ଷ ଲକ୍ଷପତି ଦିଦି, ଏବେ ୧୦ ଲକ୍ଷ କୋଟିର ଋଣ ଅଭିଯାନ

ମାତୃଶକ୍ତିକୁ ପ୍ରଣାମ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସୁଭଦ୍ରା ଯୋଜନା ଅଧୀନରେ ବାର୍ଷିକ ୧୦ ହଜାର ଟଙ୍କା ମିଳିବାଦ୍ୱାରା ଓଡ଼ିଶାର ଭଉଣୀମାନଙ୍କ ଆତ୍ମବିଶ୍ୱାସ ଓ ସମ୍ମାନ ବଢ଼ିଛି। ସେ ଖୁସି ବ୍ୟକ୍ତ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ନିର୍ଦ୍ଧାରିତ ସମୟର ଗୋଟିଏ ବର୍ଷ ପୂର୍ବରୁ ହିଁ ୨୭ ଲକ୍ଷର ଲକ୍ଷ୍ୟ ଅତିକ୍ରମ କରି ୨୯ ଲକ୍ଷ ଭଉଣୀଙ୍କୁ 'ଲକ୍ଷପତି ଦିଦି' ବନାଇ ଦେଇଛି। ଶ୍ରୀ ଚୌହାନ ଜଣାଇଛନ୍ତି ଯେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ସାରା ଦେଶର ଭଉଣୀମାନଙ୍କୁ ଲକ୍ଷପତି ବନାଇବା ପାଇଁ ବ୍ୟାଙ୍କ ମାଧ୍ୟମରେ ୧୦ ଲକ୍ଷ କୋଟି ଟଙ୍କାର ଋଣ ଦିଆଯିବ। କେବଳ ସେତିକି ନୁହେଁ, ଏବେ କେବଳ ଗୋଷ୍ଠୀକୁ ନୁହେଁ, ବରଂ ଯେଉଁ ଭଉଣୀ ଏକୁଟିଆ ମଧ୍ୟ ନିଜର କାମ-ଧନ୍ଦା କିମ୍ବା ବ୍ୟବସାୟ ଆରମ୍ଭ କରିବାକୁ ଚାହିଁବେ, ତାଙ୍କୁ ମଧ୍ୟ ବିନା କୌଣସି ଅସୁବିଧାରେ ଋଣ ଉପଲବ୍ଧ କରାଯିବ।

ବଲାଙ୍ଗୀର କୃଷି କଲେଜ ହେବ ଦେଶରେ ଏକ ନମ୍ବର

ବଲାଙ୍ଗୀର କୃଷି କଲେଜକୁ ଦେଶର ନମ୍ବର-୧ ଅନୁଷ୍ଠାନରେ ପରିଣତ କରାଯିବ ବୋଲି ଶ୍ରୀ ଚୌହାନ କହିଛନ୍ତି। ଚାଷୀଙ୍କ ସେବାକୁ ଭଗବାନଙ୍କ ପୂଜା ବୋଲି ବର୍ଣ୍ଣନା କରି ଶ୍ରୀ ଚୌହାନ ପ୍ରତିଶ୍ରୁତି ଦେଇଛନ୍ତି ଯେ ବଲାଙ୍ଗୀରଠାରେ ଶିଳାନ୍ୟାସ ହୋଇଥିବା କୃଷି କଲେଜକୁ ଆଇସିଏଆର ଏବଂ ଭାରତ ସରକାରଙ୍କ ସହଯୋଗରେ ହିନ୍ଦୁସ୍ତାନର ସର୍ବଶ୍ରେଷ୍ଠ କୃଷି କଲେଜ ଭାବେ ଗଢ଼ି ତୋଳାଯିବ, ଯେଉଁଠାରେ ଦେଶର ଶୀର୍ଷ ବୈଜ୍ଞାନିକମାନେ ଚାଷୀମାନଙ୍କୁ ସାହାଯ୍ୟ କରିବେ। ସେ କହିଛନ୍ତି ଯେ ଓଡ଼ିଶାର ଚାଷକୁ ଆଧୁନିକ କରିବା ପାଇଁ ରାଜ୍ୟ ସରକାରଙ୍କ ସହ ମିଶି ଏକ ଦୃଢ଼ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଉଛି। ଏହା ଅଧୀନରେ ଏପରି ଏକ ଯୋଜନା ଅଣାଯାଉଛି, ଯେଉଁଥିରେ ଚାଷୀଙ୍କ କ୍ଷେତ ଉପରେ ସୋଲାର ପ୍ୟାନେଲ ଲାଗିବ ଏବଂ ତଳେ ଫଳ-ପନିପରିବା ଚାଷ ହେବ, ଯାହାଦ୍ୱାରା ଚାଷୀମାନଙ୍କୁ ଦ୍ୱିଗୁଣିତ ଲାଭ ମିଳିବ। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧିରୁ ବାଦ୍ ପଡ଼ିଥିବା ଯୋଗ୍ୟ ଚାଷୀମାନଙ୍କ ନାମ ମଧ୍ୟ ଏବେ ତାଲିକାରେ ଯୋଡ଼ା ଯାଇଛି।

ପ୍ରତି ପଞ୍ଚାୟତକୁ ମିଳିବ ୧ ରୁ ୨ କୋଟି ଟଙ୍କା

ଗ୍ରାମ୍ୟ ବିକାଶର ରୂପରେଖ ପ୍ରସ୍ତୁତ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ ଜଣାଇଛନ୍ତି ଯେ 'ବିକଶିତ ଭାରତ- ଜି ରାମ ଜି' ଯୋଜନା ଅଧୀନରେ ଚଳିତବର୍ଷ ଓଡ଼ିଶାକୁ ପ୍ରାୟ ୪୦୦୦ କୋଟି ଟଙ୍କା ମିଳିବ। ଏହାଦ୍ୱାରା ରାଜ୍ୟର ପ୍ରତ୍ୟେକ ପଞ୍ଚାୟତକୁ ବାର୍ଷିକ ୨୫ରୁ ୫୦ ଲକ୍ଷ ଟଙ୍କା ଏବଂ ପାଞ୍ଚ ବର୍ଷରେ ଛୋଟ ପଞ୍ଚାୟତକୁ ୧ କୋଟି ତଥା ବଡ଼ ପଞ୍ଚାୟତକୁ ୨ କୋଟି ଟଙ୍କା ପର୍ଯ୍ୟନ୍ତ ବିକାଶମୂଳକ କାର୍ଯ୍ୟ ପାଇଁ ମିଳିବ। ଏହାଦ୍ୱାରା ଗାଁରେ ରାସ୍ତା, ନାଳ, ସ୍କୁଲ, ପଞ୍ଚାୟତ ଭବନଠାରୁ ଆରମ୍ଭ କରି ଚାଷୀଙ୍କ କ୍ଷେତ ପର୍ଯ୍ୟନ୍ତ ରାସ୍ତା ଏବଂ ଜଳ ସଂରକ୍ଷଣ ପାଇଁ ପୋଖରୀ ନିର୍ମାଣ କରାଯାଇପାରିବ। ସେହିପରି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ଚତୁର୍ଥ ପର୍ଯ୍ୟାୟରେ ୧୭୦୦ କିଲୋମିଟର ରାସ୍ତା ମଞ୍ଜୁର ହେବା ପରେ ଏବେ ବାକି ଥିବା ସମସ୍ତ ଗାଁକୁ ମଧ୍ୟ ପକ୍କା ରାସ୍ତା ସହ ଯୋଡ଼ାଯିବ। ଶ୍ରୀ ଚୌହାନ କହିଛନ୍ତି ଯେ ଓଡ଼ିଶାରେ ବିକାଶର ମହାଯଜ୍ଞ ଚାଲିଛି।

 

ସେ ବଲାଙ୍ଗୀରର ଲୋକସଂସ୍କୃତି, ନୂଆଖାଇ ଏବଂ ଢାଲଖାଇ-ରସରକେଲି ନୃତ୍ୟକୁ ସମ୍ମାନ ଜଣାଇବା ସହ ଉପସ୍ଥିତ ଜନସମୂହଙ୍କୁ ବିକଶିତ ଓଡ଼ିଶା ଗଠନ କରିବାର ସଂକଳ୍ପ କରାଇଥିଲେ। ଜନସମୁଦ୍ରକୁ ସମ୍ବୋଧିତ କରି ଶ୍ରୀ ଚୌହାନ ନିଜର ଚିରାଚରିତ ଆତ୍ମୀୟ ଶୈଳୀରେ କହିଥିଲେ ଯେ ସେ ଏଠାକୁ କୌଣସି ବିଶିଷ୍ଟ ଅତିଥି କିମ୍ବା କୁଣିଆ ହୋଇ ଆସିନାହାନ୍ତି, ବରଂ କୃଷିମନ୍ତ୍ରୀ ଭାବେ ଜନତାଙ୍କ ବିନମ୍ର ସେବକ ହୋଇ ଆସିଛନ୍ତି। ସେ କହିଛନ୍ତି ଯେ ଭଗବାନ ଜଗନ୍ନାଥଙ୍କ ଦର୍ଶନ ତାଙ୍କୁ ଜୀବନ୍ତ-ଜାଗ୍ରତ ଜନତାଙ୍କ ମଧ୍ୟରେ ହୋଇଥାଏ ଏବଂ ରାଜ୍ୟର ଭଉଣୀମାନଙ୍କ ମଧ୍ୟରେ ତାଙ୍କୁ ସୁଭଦ୍ରା ମାତା ଦେଖାଯାଆନ୍ତି। ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଶଂସା କରି କହିଛନ୍ତି ଯେ ସେ ଅତ୍ୟନ୍ତ ସରଳ, ସହଜ ଏବଂ ଦିନରାତି କାମ କରୁଥିବା ଜଣେ ଜନସେବକ, ଯିଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ବିକଶିତ ଭାରତ'ର ସଂକଳ୍ପକୁ ପୂରଣ କରିବା ପାଇଁ 'ବିକଶିତ ଓଡ଼ିଶା'ର ନିର୍ମାଣ କରୁଛନ୍ତି।

###

/HP


(ରିଲିଜ ଆଡି: 2336288) ପରିଦର୍ଶକ କାଉଣ୍ଟର : 24
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Assamese , Gujarati , Tamil