ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନେପାଳ ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ପ୍ରେସ୍ ବିବୃତ୍ତି ସମୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ପୋଷ୍ଟ କରାଯିବା ଦିନାଙ୍କ: 23 NOV 2026 2:12PM by PIB Bhubaneswar

ମହାମନ୍ୟ, ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହ ଜୀ,

ଉଭୟ ଦେଶର ପ୍ରତିନିଧି ମଣ୍ଡଳୀ,

ଗଣମାଧ୍ୟମ ବନ୍ଧୁଗଣ,

ନମସ୍କାର!

ନେପାଳର ପ୍ରଧାନମନ୍ତ୍ରୀ ହେବା ପରେ, ନିଜର ପ୍ରଥମ ଦ୍ୱିପାକ୍ଷିକ ଗସ୍ତ ଅବସରରେ ଆସିଥିବା ବାଲେନ୍ଦ୍ର ଶାହ ଜୀଙ୍କୁ ଭାରତରେ ସ୍ୱାଗତ କରି ମୁଁ ବହୁତ ଖୁସି ହେଉଛି।

କିଛି ମାସ ପୂର୍ବେ, ଯେତେବେଳେ ସେ ବିଶ୍ୱର ସବୁଠାରୁ ଯୁବ ପ୍ରଧାନମନ୍ତ୍ରୀ ରୂପେ ସଂଯୁକ୍ତ ରାଷ୍ଟ୍ରକୁ ସମ୍ବୋଧିତ କରିଥିଲେ, ସେତେବେଳେ ଆମକୁ ତାଙ୍କର ଦୂରଦର୍ଶିତାର ସ୍ପଷ୍ଟ ଝଲକ ଦେଖାଯାଇଥିଲା। ଆଉ ଆଜି, ଗତ କିଛି ଘଣ୍ଟାର ଆଲୋଚନାରେ, ମୁଁ ନେପାଳର ଭବିଷ୍ୟତ ଏବଂ ଭାରତ-ନେପାଳ ସମ୍ପର୍କ ପାଇଁ ତାଙ୍କର  ସ୍ପଷ୍ଟ ଦୂରଦୃଷ୍ଟି ଏବଂ ପ୍ରତିବଦ୍ଧଦାକୁ ଅନୁଭବ କରିଛି। ଏହି ବର୍ଷ ନେପାଳର ଜନତା ତାଙ୍କୁ ଯେଉଁ ଐତିହାସିକ ଜନାଦେଶ ଦେଇଛନ୍ତି, ତାହା ନେପାଳର ନୂଆ ପିଢ଼ିର ଆକାଂକ୍ଷା ଏବଂ ଆଶାକୁ ଦର୍ଶାଉଛି।

ଭାରତ ଏକ ସଶକ୍ତ ଏବଂ ସମୃଦ୍ଧ ନେପାଳର ବିକାଶ ଯାତ୍ରାରେ ସବୁବେଳେ ସହଭାଗୀ ରହିଆସିଛି। ଏହି ଭାବନା ସହିତ ଆଜି ଆମେ ଆମର ସମ୍ପର୍କକୁ ନୂଆ ଉଚ୍ଚତାରେ ପହଞ୍ଚାଇବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛୁ।

ବନ୍ଧୁଗଣ,

ଭାରତ ଏବଂ ନେପାଳର ସମ୍ପର୍କ କେବଳ ପଡ଼ୋଶୀଭାବେ ନୁହେଁ, ବରଂ ଆପଣାପଣ ଏବଂ ଅତୁଟ ବିଶ୍ୱାସର ସମ୍ପର୍କରେ ଯୋଡ଼ି ହୋଇଛି। ଆମେ ପରସ୍ପର ସହ ଖୁସି ବାଣ୍ଟୁ, ଏବଂ ଆମର ଆହ୍ୱାନଗୁଡ଼ିକୁ ମଧ୍ୟ। ଆମେ ପରସ୍ପରର ପ୍ରଗତିରେ ସାଥୀ, ଏବଂ କଷ୍ଟ ସମୟରେ ପରସ୍ପରର ସାହାରା ମଧ୍ୟ।

ଅଗଷ୍ଟରେ ନେପାଳରେ ଆସିଥିବା ଭୀଷଣ ବନ୍ୟା ଯୋଗୁଁ ହୋଇଥିବା ଧନ ଜୀବନହାନୀ ପାଇଁ ଆମେ ଗଭୀର ସମବେଦନା ବ୍ୟକ୍ତ କରୁଛୁ। ଆଉ ଆଜି, ନେପାଳର ପୁନର୍ନିର୍ମାଣ ଏବଂ ଦୀର୍ଘକାଳୀନ ବିକାଶକୁ ନୂଆ ମଜଭୁତି ଦେବା ପାଇଁ ଆମେ ଚବିଶ ହଜାର କୋଟି ନେପାଳୀ ଟଙ୍କାର  ବିକାଶ ସହଯୋଗ ପ୍ୟାକେଜ ଘୋଷଣା କରୁଛୁ।

ଆମର ସଂକଳ୍ପ ହେବ ଯେ ପ୍ରଭାବିତ ପରିବାରମାନଙ୍କର ଜୀବନ ପୁଣିଥରେ ସ୍ୱାଭାବିକ ହେଉ, ନୂଆ ସୁଯୋଗ ସୃଷ୍ଟି ହେଉ, ଏବଂ ଭବିଷ୍ୟତର ବିପଦଗୁଡ଼ିକର ମୁକାବିଲା କରିବା ପାଇଁ ନେପାଳର କ୍ଷମତା ମଧ୍ୟ ଆହୁରି ମଜବୁତ ହେଉ।

ବନ୍ଧୁଗଣ,

ଭାରତ ଏବଂ ନେପାଳର ସମ୍ପର୍କ ପାରସ୍ପରିକ ଇତିହାସ, ଆସ୍ଥା, ସଂସ୍କୃତି ଏବଂ ଗଭୀର ଜନ-ମନ ସମ୍ପର୍କର ସୂତାରେ ବୁଣାଯାଇଛି। ଭଗବାନ ରାମ ଏବଂ ମାତା ସୀତା ଆମ ଉଭୟଙ୍କ ସଭ୍ୟତା ଏବଂ ଆସ୍ଥାର ପରିଚୟ। ୨୦୧୮ରେ ଜନକପୁରର ପବିତ୍ର ଧରାରେ ମୁଁ କହିଥିଲି, "ନେପାଳ ବିନା ଆମର ଧାମ ଅଧୁରା, ନେପାଳ ବିନା ଆମର ରାମ ମଧ୍ୟ ଅଧୁରା।"

୨୦୨୪ରେ ଅଯୋଧ୍ୟାରେ ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା ହୋଇଥିଲା। ଏହି ଐତିହାସିକ ଅବସର ଆମର ଆସ୍ଥାକୁ ନୂଆ ଶକ୍ତି ଦେଇଥିଲା। ଏହାପରଠାରୁ କୋଟି କୋଟି ଶ୍ରଦ୍ଧାଳୁ ରାମଲାଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟା ପହଞ୍ଚୁଛନ୍ତି। ୨୦୨୫ରେ ହିଁ, ଦେଶ ଭିତରୁ ଓ ବିଭିନ୍ନ ଦେଶରୁ ପ୍ରାୟ ୩୦ କୋଟି ଶ୍ରଦ୍ଧାଳୁ ଅଯୋଧ୍ୟା ଯାତ୍ରା କରି ଶ୍ରୀରାମଲାଲାଙ୍କ ଆଶୀର୍ବାଦ ଗ୍ରହଣ କରିଛନ୍ତି।

ଆଜି ଆରମ୍ଭ କରାଯାଇଥିବା ଟ୍ରେନ ସେବା ‘ସରଯୁ-କମଳା ଏକ୍ସପ୍ରେସ୍’ ଦ୍ୱାରା ଆମେ ଏହି ପବିତ୍ର ସମ୍ପର୍କକୁ ଏକ ନୂଆ ଦିଗ ଦେଉଛୁ। ଏହାଦ୍ୱାରା ଅଯୋଧ୍ୟା ଆସୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ଏବେ ଜନକପୁର ଯାଇ ମାତା ସୀତାଙ୍କ ଦର୍ଶନ କରିବା ମଧ୍ୟ ସୁଗମ ହୋଇଯିବ।

ଆମେ ଲୁମ୍ବିନୀ ଏବଂ ବୋଧଗୟା ସମେତ ଉଭୟ ଦେଶର ବୌଦ୍ଧ ଏବଂ ଶିବ-ଶକ୍ତି ସହିତ ଜଡ଼ିତ ପବିତ୍ର ସ୍ଥଳଗୁଡ଼ିକ ମଧ୍ୟରେ ଯୋଗାଯୋଗ ବଢ଼ାଇବା ପାଇଁ ମଧ୍ୟ ମିଳିତ ଭାବେ କାମ କରିବୁ।

ବନ୍ଧୁଗଣ,

ଆଜି ଆମେ ଉତ୍ତରାଖଣ୍ଡ ଏବଂ ନେପାଳ ମଧ୍ୟରେ, ଧାରଚୁଲା ପୋଲ ଉଦଘାଟନ ଏବଂ ବନବସାରେ ସମନ୍ୱିତ ଚେକପୋଷ୍ଟର ଶିଳାନ୍ୟାସ କରିଛୁ। ଏଥିସହିତ ଆମେ ନେପାଳ ପଟେ ଦୋଧାରା-ଚାନ୍ଦନୀ ସମନ୍ୱିତ ଚେକ୍‍ପୋଷ୍ଟର କାମକୁ ମଧ୍ୟ ଦ୍ରୁତ ଗତିରେ ଆଗକୁ ବଢ଼ାଇବୁ। ଏହି ପଦକ୍ଷେପଗୁଡ଼ିକ ଦ୍ୱାରା ଉତ୍ତରାଖଣ୍ଡ ଏବଂ ନେପାଳ ମଧ୍ୟରେ ବାଣିଜ୍ୟ ଏବଂ ଲୋକମାନଙ୍କର ଯାତାୟାତ ଆହୁରି ସୁବିଧାଜନକ ହେବ।

ସେହିପରି, ଆମେ ବିହାର, ଉତ୍ତର ପ୍ରଦେଶ ଏବଂ ଭାରତର ଅନ୍ୟ ରାଜ୍ୟ ଓ ନେପାଳ ମଧ୍ୟରେ ରାସ୍ତା, ରେଳ ଏବଂ ସୀମା ସଂଯୋଗର ପ୍ରକଳ୍ପକୁ ମଧ୍ୟ ନୂଆ ଗତି ଦେବୁ। ନେପାଳର ଟ୍ରାନ୍‍ଜିଟ ଟ୍ରେଡକୁ ଆହୁରି ସୁଗମ କରିବା ପାଇଁ ଆମେ କାଣ୍ଡଲା ଏବଂ ପାରାଦୀପ ବନ୍ଦରକୁ ଉପଲବ୍ଧ କରାଇବୁ। ମୋର ବିଶ୍ୱାସ ଯେ ଉତ୍ତମ ବାଣିଜ୍ୟ,  ସଂଯୋଗ ଏବଂ ନିବେଶର ଏହି ସମସ୍ତ ପ୍ରୟାସଦ୍ୱାରା ନେପାଳର ଆର୍ଥିକ ବିକାଶକୁ ନୂଆ ଗତି ମିଳିବ।

ବନ୍ଧୁଗଣ,

ନେପାଳର ନଦୀଗୁଡ଼ିକରେ ସ୍ୱଚ୍ଛ ଶକ୍ତିର ଅପାର ସମ୍ଭାବନା ରହିଛି। ଭାରତର ବିଶାଳ ଶକ୍ତି ବଜାର ଏହି ସମ୍ଭାବନାଗୁଡ଼ିକୁ ନେପାଳର ଆର୍ଥିକ ସମୃଦ୍ଧିର ଏକ ମଜବୁତ ଆଧାର କରିପାରିବ।

ଆଜି ନିମ୍ନ ଅରୁଣ ଜଳବିଦ୍ୟୁତ୍‍ ପ୍ରକଳ୍ପର ଶିଳାନ୍ୟାସ ଏବଂ ଅରୁଣ-୩କୁ ଠିକ ସମୟରେ ସମ୍ପୂର୍ଣ୍ଣ କରିବା ପାଇଁ ଆମର ପ୍ରତିବଦ୍ଧତା ଏହି ଦୂରଦୃଷ୍ଟିର ହିଁ ଅଂଶ ବିଶେଷ।

ବନ୍ଧୁଗଣ,

ଭାରତ ଅନେକ ବର୍ଷ ଧରି ନେପାଳ ପାଇଁ ପେଟ୍ରୋଲିୟମ ପଦାର୍ଥ ଏବଂ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଏକ ବିଶ୍ୱସନୀୟ ଯୋଗାଣକାରୀ ରହିଆସିଛି। ଆମର ପଡ଼ୋଶୀ ପ୍ରଥମ ନୀତିର ଚିନ୍ତନ ଅନୁଯାୟୀ, ଏହି ବର୍ଷ  ତୈଳ ଯୋଗାଣ ସହିତ ଜଡ଼ିତ ଗୁରୁତର ଆହ୍ୱାନଗୁଡ଼ିକ ସତ୍ତ୍ୱେ, ଆମେ ନେପାଳକୁ ଇନ୍ଧନ, ସାର ଏବଂ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ବଜାୟ ରଖିଛୁ।

ଆଜି ମୋତିହାରୀ-ଅମଲେଖଗଞ୍ଜ  ପାଇପଲାଇନ ଫେଜ-୨ ର ଲୋକାର୍ପଣ ଏବଂ ଝାପା ପେଟ୍ରୋଲିୟମ ଟର୍ମିନାଲର ଶିଳାନ୍ୟାସ ଏହି ସହଭାଗିତାକୁ ଆହୁରି ମଜବୁତ କରିବ।

ବନ୍ଧୁଗଣ,

ନେପାଳର ଯୁବପିଢ଼ି ପ୍ରତିଭା, ଶକ୍ତି ଏବଂ ବଡ଼ ସ୍ୱପ୍ନରେ ଭରପୁର। ସେମାନଙ୍କର ସ୍ୱପ୍ନକୁ ସାକାର କରିବାରେ ଭାରତ ସମ୍ପୂର୍ଣ୍ଣ ପ୍ରତିବଦ୍ଧତା ସହିତ ସହଭାଗୀ ହେବାକୁ ଚାହୁଁଛି।

ଏହି ସଂକଳ୍ପକୁ ସାକାର କରିବା ପାଇଁ, ଆମେ ନେପାଳରେ ଷ୍ଟାର୍ଟଅପ ଇନ୍‍କ୍ୟୁବେଟର ଇନୋଭେସନ୍‍ ହବ୍‍ ଏବଂ ଆଇଆଇଟିର ଏକ ଅଫସୋର କ୍ୟାମ୍ପସ ସ୍ଥାପନ କରିବୁ।

ଆମେ ନେପାଳୀ ଛାତ୍ରଙ୍କ ପାଇଁ ଭାରତରେ ଆଇନ ଏବଂ ଟୋକ୍ନୋଲୋଜି ବୃତ୍ତିର ସୁଯୋଗ ବଢ଼ାଇବୁ। ଖାଦ୍ୟ ପ୍ରକ୍ରିୟାକରଣ ଏବଂ ମୂଲ୍ୟ ସଂଯୋଗକୁ ପ୍ରୋତ୍ସାହନ ଦେବା ପାଇଁ ଆମେ ନେପାଳରେ କୃଷି-ଶିଳ୍ପ ପାର୍କ ବିକଶିତ କରିବାରେ ମଧ୍ୟ ସହଯୋଗ କରିବୁ।

ବନ୍ଧୁଗଣ,

ରାମାୟଣର କଥା ଆଜି ଫିଲ୍ମ ଏବଂ ଆଧୁନିକ ଟେକ୍ନୋଲୋଜି ମାଧ୍ୟମରେ ନୂଆ ପିଢ଼ି ଏବଂ ସମ୍ପୂର୍ଣ୍ଣ ଦୁନିଆ ପାଖରେ ପହଞ୍ଚୁଛି। ଆମେ ଚାହୁଁ ଯେ ଭାରତ ଏବଂ ନେପାଳର ଯୁବ କ୍ରିଏଟରମାନେ ମିଳିତ ଭାବେ ଆମର ଏହି ଐତିହ୍ୟକୁ ନୂଆ ମାଧ୍ୟମରେ ଦୁନିଆ ପାଖରେ ପହଞ୍ଚାନ୍ତୁ। ଏହି ଦିଗରେ, ଆଗାମୀ ୱେଭ୍ସ ସମ୍ବିଳନୀରେ ଆମେ ନେପାଳର ଏକ ବଡ଼ ପ୍ରତିନିଧିମଣ୍ଡଳୀକୁ ସ୍ୱାଗତ କରିବୁ।

କ୍ରୀଡ଼ା ବିଶେଷ କରି କ୍ରିକେଟରେ ମଧ୍ୟ ଆମେ ନେପାଳରେ ଭିତ୍ତିଭୂମିର ବିକାଶ ଏବଂ ଖେଳାଳିମାନଙ୍କର  ତାଲିମରେ ସହଯୋଗ ବଢ଼ାଇବୁ।

ମହାମାନ୍ୟ,

ଆଜି ଆମେ ଆମର ଭବିଷ୍ୟତକୁ ନୂଆ ଦିଶା ଦେବା ପାଇଁ ଏକ ମିଳିତ ସଂଯୁକ୍ତ ଦୃଷ୍ଟିକୋଣ ପତ୍ର ଜାରି କରୁଛୁ। ଏହା “ବିକଶିତ ଭାରତ ଏବଂ ସମୁନ୍ନତ ନେପାଳ”ର ନିଜ ନିଜ ସଂକଳ୍ପକୁ ମିଳିତ ଭାବେ ସାକାର କରିବାର ନକ୍ସା ହେବ।

ଆମ ପାଖରେ ସ୍ପଷ୍ଟ ଲକ୍ଷ୍ୟ ରହିଛି, ପାରସ୍ପରିକ ବିଶ୍ୱାସ ଅଛି, ସେଗୁଡ଼ିକୁ ସାକାର କରିବାର ସାମର୍ଥ୍ୟ ମଧ୍ୟ ଅଛି। ଏବଂ ସବୁଠାରୁ ବଡ଼ କଥା ଆମ ସହିତ ମାତା ସୀତା, ଭଗବାନ ରାମ ଏବଂ ଭଗବାନ ବୁଦ୍ଧଙ୍କର ଆଶୀର୍ବାଦ ଅଛି।

ମୋର ବିଶ୍ୱାସ ଯେ ଏହି ଭାବନା ସହିତ ଆମେ ଆମର ପାରମ୍ପରିକ ଦୃଷ୍ଟିକୋଣକୁ  ଦୃଢ଼ ଉପଲବ୍ଧିରେ ପରିଣତ କରିବୁ। ଏବଂ ଏକାଠି ମିଶି ଭାରତ-ନେପାଳ ସମ୍ପର୍କର ଏକ ନୂଆ ସୁନେଲି ଅଧ୍ୟାୟ ଲେଖିବୁ।

ଭାରତ–ନେପାଳ ମୈତ୍ରୀ ଅମର ରହୋସ୍!

ବହୁତ-ବହୁତ ଧନ୍ୟବାଦ।

/hp

 

 


(ରିଲିଜ ଆଡି: 2340968) ପରିଦର୍ଶକ କାଉଣ୍ଟର : 3