ପୋଷ୍ଟ କରାଯିବା ଦିନାଙ୍କ:
25 NOV 2026 6:19PM by PIB Bhubaneswar
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଆତ୍ମନିର୍ଭର ଭାରତ’ ଦୃଷ୍ଟିକୋଣ ସହିତ ସମନ୍ୱୟ ରକ୍ଷା କରି, କୃଷି କ୍ଷେତ୍ରର ସ୍ଥିରତାକୁ ସୁଦୃଢ଼ କରିବା, ସାରର ନିରାପତ୍ତା ସୁନିଶ୍ଚିତ କରିବା ଏବଂ ୟୁରିଆ ଉତ୍ପାଦନରେ ଆତ୍ମନିର୍ଭରଶୀଳତା ହାସଲ କରିବା ଦିଗରେ ଭାରତ ସରକାର ଏକ ନିର୍ଣ୍ଣାୟକ ପଦକ୍ଷେପ ଗ୍ରହଣ କରିଛନ୍ତି। ୟୁରିଆ ପାଇଁ ଜାତୀୟ ନିବେଶ ନୀତି (ନିପୁ)-୨୦୨୬ ଅଧୀନରେ ବ୍ରାଉନଫିଲ୍ଡ ବର୍ଗରେ ୬ଟି ନୂତନ ୟୁରିଆ କାରଖାନାକୁ ମଞ୍ଜୁରୀ ଦିଆଯାଇଛି। ଏହା ସହିତ ଆଗାମୀ ଦିନରେ ଆହୁରି ଅଧିକ ପ୍ରକଳ୍ପ ହାତକୁ ନିଆଯିବ। ପ୍ରାୟ ୫୪,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶରେ ୟୁରିଆ ଉତ୍ପାଦନ କ୍ଷମତା ବୃଦ୍ଧି ଓ ଏ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ହାସଲ ଉପରେ ଏହି ପଦକ୍ଷେପରେ ଗୁରୁତ୍ୱ ଦିଆଯାଇଛି।
୬ଟି ନୂତନ ବ୍ରାଉନଫିଲ୍ଡ କାରଖାନା, ପୁଞ୍ଜିନିବେଶ ଓ ଆତ୍ମନିର୍ଭରଶୀଳତା ଉପରେ ଗୁରୁତ୍ୱ:
ୟୁରିଆ ପାଇଁ ଜାତୀୟ ନିବେଶ ନୀତି (ନିପୁ)-୨୦୨୬ ଅଧୀନରେ ସରକାରୀ କ୍ଷେତ୍ର, ଘରୋଇ କ୍ଷେତ୍ର ଏବଂ ସମବାୟ ଉଦ୍ୟୋଗଗୁଡ଼ିକ ମଧ୍ୟରେ ୬ଟି ପ୍ରମୁଖ ବ୍ରାଉନଫିଲ୍ଡ ୟୁରିଆ ପ୍ରକଳ୍ପକୁ ଆଗକୁ ବଢ଼ାଯାଇଛି।
୧. ଏମ୍ଏଫ୍ଏଲ୍-ମାଡ୍ରାସ (ଚେନ୍ନାଇ, ତାମିଲନାଡୁ): ଏହା ଏକ ସରକାରୀ ଉଦ୍ୟୋଗ (ପିଏସ୍ୟୁ) ଅଧୀନସ୍ଥ ବ୍ରାଉନଫିଲ୍ଡ ପ୍ରକଳ୍ପ। ଏହା ଅଧୀନରେ ବାର୍ଷିକ ୧୨.୭ ଲକ୍ଷ ମେଟ୍ରିକ୍ ଟନ୍ (ଏଲ୍ଏମ୍ଟି) ଉତ୍ପାଦନ କ୍ଷମତା ବିଶିଷ୍ଟ ନୂତନ ୟୁନିଟ୍ ସ୍ଥାପନ କରାଯିବ। ୬୦ ବର୍ଷରୁ ଅଧିକ ପୁରୁଣା ବର୍ତ୍ତମାନର କାରଖାନାରେ ଅଧିକ ଉତ୍ପାଦନ ଖର୍ଚ୍ଚ, ଅଧିକ ଶକ୍ତି ବ୍ୟବହାର ଏବଂ ସୁରକ୍ଷାଜନିତ ବିପଦ ରହିଛି। ତେଣୁ ଏହି ଅକ୍ଷମ ପୁରୁଣା କାରଖାନାକୁ ବଦଳାଇ ନୂତନ କାରଖାନା ପ୍ରତିଷ୍ଠା କରାଯିବ।
୨. ଏନ୍ଏଫ୍ଏଲ୍-ନାଙ୍ଗଲ (ନାଙ୍ଗଲ, ପଞ୍ଜାବ): ଏହା ଏକ ସରକାରୀ ଉଦ୍ୟୋଗ (ପିଏସ୍ୟୁ) ଅଧୀନସ୍ଥ ବ୍ରାଉନଫିଲ୍ଡ ପ୍ରକଳ୍ପ। ପ୍ରାୟ ୫୦-୫୫ ବର୍ଷ ପୁରୁଣା ଏହି କାରଖାନାର ବର୍ତ୍ତମାନର ବାର୍ଷିକ ଉତ୍ପାଦନ କ୍ଷମତା ୪.୭୩ ଲକ୍ଷ ମେଟ୍ରିକ୍ ଟନ୍। ଏହାକୁ ବଦଳାଇ ବାର୍ଷିକ ୧୨.୭ ଲକ୍ଷ ମେଟ୍ରିକ୍ ଟନ୍ ସ୍ଥାପିତ ଉତ୍ପାଦନ କ୍ଷମତା ବିଶିଷ୍ଟ ଏକ ଆଧୁନିକ ୟୁନିଟ୍ ପ୍ରତିଷ୍ଠା କରାଯିବ।
୩. କେଏଫ୍ଏଲ୍-ଶାହଜାହାନପୁର (ଶାହଜାହାନପୁର, ଉତ୍ତରପ୍ରଦେଶ): KRIBHCO ଅଧୀନରେ ଏହା ଏକ ସମବାୟ କ୍ଷେତ୍ରର ବ୍ରାଉନଫିଲ୍ଡ ପ୍ରକଳ୍ପ। ୧୯୯୫ ମସିହାରେ କାର୍ଯ୍ୟକ୍ଷମ ହୋଇଥିବା ୟୁନିଟ୍ର ସମ୍ପ୍ରସାରଣ କରାଯାଇ ବାର୍ଷିକ ୧୨.୭ ଲକ୍ଷ ମେଟ୍ରିକ୍ ଟନ୍ ସ୍ଥାପିତ ଉତ୍ପାଦନ କ୍ଷମତା ହାସଲ କରାଯିବ।
୪. ମାଟିକ୍ସ-ପାନାଗଡ଼ (ପାନାଗଡ଼, ପଶ୍ଚିମବଙ୍ଗ): ଏହା ଏକ ଘରୋଇ କ୍ଷେତ୍ରର ବ୍ରାଉନଫିଲ୍ଡ ପ୍ରକଳ୍ପ। ୨୦୧୭ ମସିହାରେ କାର୍ଯ୍ୟକ୍ଷମ ହୋଇଥିବା ବର୍ତ୍ତମାନର ଆଧୁନିକ କାରଖାନା ପରିସରରେ ବାର୍ଷିକ ୧୨.୭ ଲକ୍ଷ ମେଟ୍ରିକ୍ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ନୂତନ କାରଖାନା ନିର୍ମାଣ କରାଯିବ। ବର୍ତ୍ତମାନ ପଶ୍ଚିମବଙ୍ଗରେ କେବଳ ଗୋଟିଏ ୟୁରିଆ କାରଖାନା ରହିଛି। ନୂତନ କାରଖାନା ରାଜ୍ୟର ୟୁରିଆ ଚାହିଦା ପୂରଣରେ ସହାୟକ ହେବ।
୫. ସିଏଫ୍ସିଏଲ୍-ଗଡ଼େପନ୍ (ଗଡ଼େପନ୍, କୋଟା, ରାଜସ୍ଥାନ): ଏହା ଏକ ଘରୋଇ କ୍ଷେତ୍ରର ବ୍ରାଉନଫିଲ୍ଡ ପ୍ରକଳ୍ପ। ୧୯୯୪ ମସିହାରୁ କାର୍ଯ୍ୟକ୍ଷମ ଥିବା କାରଖାନା ପରିସରରେ ସମ୍ପ୍ରସାରଣ କରାଯାଇ ବାର୍ଷିକ ୧୨.୭ ଲକ୍ଷ ମେଟ୍ରିକ୍ ଟନ୍ ସ୍ଥାପିତ ଉତ୍ପାଦନ କ୍ଷମତା ଯୋଡ଼ାଯିବ।
୬. ଆଇଆଇପିଏଲ୍-ଜଗଦୀଶପୁର (ଜଗଦୀଶପୁର, ଉତ୍ତରପ୍ରଦେଶ): ଏହା ଏକ ଘରୋଇ କ୍ଷେତ୍ରର ବ୍ରାଉନଫିଲ୍ଡ ପ୍ରକଳ୍ପ। ୧୯୮୮ ମସିହାରେ ସ୍ଥାପିତ ଏହି କାରଖାନାରେ ବାର୍ଷିକ ୧୨.୭ ଲକ୍ଷ ମେଟ୍ରିକ୍ ଟନ୍ ଅତିରିକ୍ତ ଉତ୍ପାଦନ କ୍ଷମତା ଯୋଡ଼ିବା ପ୍ରସ୍ତାବ ରହିଛି।
ବ୍ରାଉନଫିଲ୍ଡ ପ୍ରକଳ୍ପର ସୁବିଧାଗୁଡ଼ିକର ଉପଯୋଗ ଯେପରିକି- ପୂର୍ବରୁ ଉପଲବ୍ଧ ଜମି, ବିଦ୍ୟୁତ୍ ଓ ଅନ୍ୟାନ୍ୟ ଉପଯୋଗୀ ସେବା, ଭିତ୍ତିଭୂମି, ପରିବହନ ବ୍ୟବସ୍ଥା ଏବଂ ବୈଷୟିକ ମାନବ ସମ୍ବଳ ଆଦିକୁ ବ୍ୟବହାର କରି ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ଶୀଘ୍ର କରାଯାଇପାରିବ ଏବଂ ଖର୍ଚ୍ଚ ମଧ୍ୟ ହ୍ରାସ କରାଯାଇପାରିବ। ଏଥିସହ ପାଇପଲାଇନରେ ଥିବା ଅନ୍ୟାନ୍ୟ ପ୍ରକଳ୍ପଗୁଡ଼ିକ ୟୁରିଆ ଉତ୍ପାଦନରେ ଆତ୍ମନିର୍ଭରଶୀଳତା ହାସଲ ଦିଗରେ ଆହୁରି ଅଗ୍ରଗତି ଆଣିବ।
ପୁରୁଣା କାରଖାନାଗୁଡ଼ିକର ଆଧୁନିକୀକରଣ ଓ ପରିବର୍ତ୍ତନ ଉପରେ ଗୁରୁତ୍ୱ:
ଏମ୍ଏଫ୍ଏଲ୍-ମାଡ୍ରାସ (୬୦ ବର୍ଷରୁ ଅଧିକ ପୁରୁଣା) ଏବଂ ଏନ୍ଏଫ୍ଏଲ୍-ନାଙ୍ଗଲ (ପ୍ରାୟ ୫୦-୫୫ ବର୍ଷ ପୁରୁଣା) ଭଳି ପୁରୁଣା ୟୁରିଆ କାରଖାନାଗୁଡ଼ିକରେ ଅଧିକ ଉତ୍ପାଦନ ଖର୍ଚ୍ଚ, ଅଧିକ ଶକ୍ତି ବ୍ୟବହାର ଏବଂ ଉତ୍ପାଦନ ପ୍ରକ୍ରିୟାରେ ସୁରକ୍ଷାଜନିତ ବିପଦ ଦେଖାଦେଉଛି। ଉଦାହରଣ ସ୍ୱରୂପ, ନାଙ୍ଗଲ କାରଖାନାରେ ପ୍ରତି ମେଟ୍ରିକ୍ ଟନ୍ ୟୁରିଆ ଉତ୍ପାଦନ ପାଇଁ ୬.୪୯୮ Gcal ଶକ୍ତି ବ୍ୟବହାର ହେଉଛି। ଅନ୍ୟପକ୍ଷରେ, ଶିଳ୍ପ କ୍ଷେତ୍ରର ଭାରିତ ହାରାହାରି ଶକ୍ତି ବ୍ୟବହାର ୫.୯୫ Gcal ଏବଂ ନୂତନ ଶକ୍ତି ମାନଦଣ୍ଡ ୫ Gcal ରହିଛି। ବ୍ରାଉନଫିଲ୍ଡ ସମ୍ପ୍ରସାରଣ ମାଧ୍ୟମରେ ପୁରୁଣା ଓ ଅଧିକ ଶକ୍ତି ବ୍ୟବହାର କରୁଥିବା କାରଖାନାଗୁଡ଼ିକର ସ୍ଥାନରେ ନୂତନ ଓ ଆଧୁନିକ ୟୁନିଟ୍ ପ୍ରତିଷ୍ଠା ଦ୍ୱାରା ସୁରକ୍ଷା ଓ ଉତ୍ପାଦନ ଦକ୍ଷତା ସମ୍ବନ୍ଧୀୟ ସମସ୍ୟାର ସମାଧାନ ହୋଇପାରିବ। ଏଥିସହ ଦେଶରେ ୟୁରିଆର ଘରୋଇ ଯୋଗାଣ ମଧ୍ୟ ନିରନ୍ତର ବଜାୟ ରହିବ।
ୟୁରିଆ ବ୍ୟବହାର ଓ ଆମଦାନୀ ହ୍ରାସ ଉପରେ ପ୍ରଭାବ:
ଭାରତରେ ବାର୍ଷିକ ୟୁରିଆ ଚାହିଦା ଓ ବ୍ୟବହାର ପ୍ରାୟ ୪୦୦ ଲକ୍ଷ ମେଟ୍ରିକ୍ ଟନ୍ (ଏଲ୍ଏମ୍ଟି) ରହିଛି। ଦେଶରେ ଘରୋଇ ୟୁରିଆ ଉତ୍ପାଦନ ୨୦୧୪-୧୫ ମସିହାରେ ବାର୍ଷିକ ୨୨୫ ଲକ୍ଷ ମେଟ୍ରିକ୍ ଟନ୍ ଥିବାବେଳେ, ୨୦୨୩-୨୪ ମସିହାରେ ଏହା ରେକର୍ଡ ୩୧୪.୦୭ ଲକ୍ଷ ମେଟ୍ରିକ୍ ଟନ୍ରେ ପହଞ୍ଚିଥିଲା। ୨୦୨୫-୨୬ ମସିହାରେ ଏହା ୨୯୩.୩୦ ଲକ୍ଷ ମେଟ୍ରିକ୍ ଟନ୍ ରହିଥିଲା। ସେହିପରି, ଦେଶର ମୋଟ ସ୍ୱଦେଶୀ ପୁନଃମୂଲ୍ୟାୟନ ଉତ୍ପାଦନ କ୍ଷମତା (ଆରଏସି) ୨୦୧୪-୧୫ ମସିହାରେ ବାର୍ଷିକ ୨୦୭.୫୪ ଲକ୍ଷ ମେଟ୍ରିକ୍ ଟନ୍ ଥିବାବେଳେ, ୨୦୨୬-୨୭ ମସିହାରେ ଏହା ବୃଦ୍ଧି ପାଇ ୨୬୯.୪୨ ଲକ୍ଷ ମେଟ୍ରିକ୍ ଟନ୍ରେ ପହଞ୍ଚିଛି। ନୂତନ ଉତ୍ପାଦନ କ୍ଷମତା ସୃଷ୍ଟି ଏବଂ ବର୍ତ୍ତମାନର କାରଖାନାଗୁଡ଼ିକର ସମ୍ପ୍ରସାରଣ ଦ୍ୱାରା ବାର୍ଷିକ ପ୍ରାୟ ୪୦୦ ଲକ୍ଷ ମେଟ୍ରିକ୍ ଟନ୍ ୟୁରିଆ ଚାହିଦାକୁ ପୂରଣ କରିବାରେ ସହାୟତା ମିଳିବ। ଫଳରେ ଆମଦାନୀ ଉପରେ ନିର୍ଭରଶୀଳତା ଯଥେଷ୍ଟ ହ୍ରାସ ପାଇବ, ବୈଦେଶିକ ମୁଦ୍ରା ସଞ୍ଚୟ ହେବା ସହ ଦେଶରେ ୟୁରିଆର ଉପଲବ୍ଧତା ଆହୁରି ସୁଦୃଢ଼ ହେବ।
୫୪,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ପ୍ରସ୍ତୁତ:
ପ୍ରତ୍ୟେକ ବ୍ରାଉନଫିଲ୍ଡ ପ୍ରକଳ୍ପ ପାଇଁ ପ୍ରାୟ ୯,୦୦୦ କୋଟି ଟଙ୍କାର ପୁଞ୍ଜି ବ୍ୟୟ ଆକଳନ କରାଯାଇଛି। ଏହି ଅନୁଯାୟୀ, ୬ଟି ନୂତନ ୟୁରିଆ କାରଖାନା ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୫୪,୦୦୦ କୋଟି ଟଙ୍କାର ନୂତନ ପୁଞ୍ଜିନିବେଶ ଆକୃଷ୍ଟ ହେବାର ଆଶା ରହିଛି। ଏହା ୟୁରିଆ ଉତ୍ପାଦନରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ସହ ନିଯୁକ୍ତି ସୃଷ୍ଟିରେ ମଧ୍ୟ ସହାୟକ ହେବ। ନିବେଶକମାନଙ୍କ ଆସ୍ଥା ବୃଦ୍ଧି ଏବଂ ପ୍ରକଳ୍ପଗୁଡ଼ିକର ଆର୍ଥିକ ସ୍ଥାୟିତ୍ୱ ସୁନିଶ୍ଚିତ କରିବା ପାଇଁ ଏହି ନୀତିରେ ୧୨ରୁ ୧୬ ପ୍ରତିଶତ ମଧ୍ୟରେ ଇକ୍ୱିଟି ଉପରେ ସନ୍ତୁଳିତ ରିଟର୍ଣ୍ଣ ବ୍ୟବସ୍ଥା ରହିଛି। ଏଥିରେ ସର୍ବନିମ୍ନ ସୀମା ୧୨ ପ୍ରତିଶତ ଏବଂ ସର୍ବାଧିକ ସୀମା ୧୬ ପ୍ରତିଶତ ରଖାଯାଇଛି। ଏଥିସହ ବୈଦେଶିକ ମୁଦ୍ରା ବିନିମୟ ହାରର ପରିବର୍ତ୍ତନଜନିତ ପ୍ରଭାବକୁ ହ୍ରାସ କରିବା ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହି ବ୍ୟବସ୍ଥାରେ ବିନିମୟ ହାରକୁ ସ୍ୱାଭାବିକ କରାଯିବା ସହ ଚାରି ବର୍ଷ ପରେ ପ୍ରଚଳିତ ବିନିମୟ ହାର ଆଧାରରେ ଏହାକୁ ଭାରତୀୟ ମୁଦ୍ରା (ଟଙ୍କା)ରେ ରୂପାନ୍ତର କରାଯିବ। ଏହାବ୍ୟତୀତ, ବ୍ରାଉନଫିଲ୍ଡ ପ୍ରକଳ୍ପର ସୁବିଧା ଯୋଗୁଁ ବାର୍ଷିକ ପ୍ରାୟ ୨୨୫ କୋଟି ଟଙ୍କା ସଞ୍ଚୟ ହେବା ସହ ଆଠ ବର୍ଷ ମଧ୍ୟରେ ପ୍ରାୟ ୧,୮୦୦ କୋଟି ଟଙ୍କା ସଞ୍ଚୟ ହେବାର ଆକଳନ କରାଯାଇଛି। ଏହି ସମସ୍ତ ବ୍ୟବସ୍ଥା ଦେଶରେ ସାର ଉତ୍ପାଦନ କ୍ଷେତ୍ରର ଆର୍ଥିକ ଦକ୍ଷତା ଓ ସ୍ଥାୟିତ୍ୱ ବୃଦ୍ଧି କରିବା ସହ ଦୀର୍ଘକାଳୀନ ପୁଞ୍ଜିନିବେଶକୁ ଉତ୍ସାହିତ କରିବ।
ନୂତନ ନିବେଶ ନୀତି (ଏନ୍ଆଇପି)-୨୦୧୨ର ସଫଳତା ଏବଂ ଭାରତର ୟୁରିଆ ନୀତି ସମ୍ପର୍କରେ ବିସ୍ତୃତ ବିବରଣୀ:
୨ ଜାନୁଆରୀ ୨୦୧୩ରେ ଘୋଷଣା କରାଯାଇଥିବା ଏବଂ ୭ ଅକ୍ଟୋବର ୨୦୧୪ରେ ସଂଶୋଧିତ ନୂତନ ନିବେଶ ନୀତି-୨୦୧୨ ଅଧୀନରେ ୬ଟି ନୂତନ ୟୁରିଆ ଉତ୍ପାଦନ କାରଖାନା ପ୍ରତିଷ୍ଠା କରାଯାଇଛି। ଏଥିମଧ୍ୟରୁ ୪ଟି କାରଖାନା ମନୋନୀତ ସରକାରୀ ଉଦ୍ୟୋଗଗୁଡ଼ିକର ମିଳିତ ଉଦ୍ୟୋଗ କମ୍ପାନୀ (ଜେଭିସି) ମାଧ୍ୟମରେ ପ୍ରତିଷ୍ଠା କରାଯାଇଛି। ସେଗୁଡ଼ିକ ହେଲା: - ତେଲେଙ୍ଗାନାରେ ଆରଏଫ୍ସିଏଲ୍’ର ରାମାଗୁଣ୍ଡମ୍ ୟୁନିଟ୍। ଉତ୍ତରପ୍ରଦେଶରେ ଏଚ୍ୟୁଆରଏଲ୍’ର ଗୋରଖପୁର ୟୁନିଟ୍। ଝାଡ଼ଖଣ୍ଡରେ ଏଚ୍ୟୁଆରଏଲ୍’ର ସିନ୍ଦ୍ରି ୟୁନିଟ୍। - ବିହାରରେ ଏଚ୍ୟୁଆରଏଲ୍’ର ବରୌଣୀ ୟୁନିଟ୍। ଅବଶିଷ୍ଟ ୨ଟି କାରଖାନା ଘରୋଇ କମ୍ପାନୀ ଦ୍ୱାରା ପ୍ରତିଷ୍ଠା କରାଯାଇଛି। ସେଗୁଡ଼ିକ ହେଲା ପଶ୍ଚିମବଙ୍ଗରେ ମାଟିକ୍ସ ଫର୍ଟିଲାଇଜର’ର ପାନାଗଡ଼ ୟୁନିଟ୍ ଏବଂ ରାଜସ୍ଥାନରେ ଚମ୍ୱଲ ଫର୍ଟିଲାଇଜର’ର ଗଡ଼େପନ୍-୩ ୟୁନିଟ୍। ପ୍ରତ୍ୟେକ କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା ୧୨.୭ ଲକ୍ଷ ମେଟ୍ରିକ୍ ଟନ୍ ରହିଛି। ଏହି ୬ଟି କାରଖାନା ମିଳିତ ଭାବେ ଦେଶର ବାର୍ଷିକ ୭୬.୨ ଲକ୍ଷ ମେଟ୍ରିକ୍ ଟନ୍ ଉତ୍ପାଦନ କ୍ଷମତା ବୃଦ୍ଧି କରିଛନ୍ତି। ଫଳରେ ଦେଶର ମୋଟ ଘରୋଇ ପୁନଃମୂଲ୍ୟାୟନ ଉତ୍ପାଦନ କ୍ଷମତା (ଆରଏସି) ୨୦୧୪-୧୫ ମସିହାରେ ବାର୍ଷିକ ୨୦୭.୫୪ ଲକ୍ଷ ମେଟ୍ରିକ୍ ଟନ୍ ଥିବାବେଳେ, ୨୦୨୬-୨୭ ମସିହାରେ ଏହା ୨୬୯.୪୨ ଲକ୍ଷ ମେଟ୍ରିକ୍ ଟନ୍କୁ ବୃଦ୍ଧି ପାଇଛି। ଏହାବ୍ୟତୀତ, ଆଉ ଦୁଇଟି ୟୁରିଆ ପ୍ରକଳ୍ପର କାର୍ଯ୍ୟ ଜାରି ରହିଛି। ପ୍ରତ୍ୟେକ ପ୍ରକଳ୍ପର ବାର୍ଷିକ ଉତ୍ପାଦନ କ୍ଷମତା ୧୨.୭ ଲକ୍ଷ ମେଟ୍ରିକ୍ ଟନ୍ ରହିବ। ୧.ତାଳଚେର ସାର ପ୍ରକଳ୍ପ (ଟିଏଫ୍ଏଲ୍), ଓଡ଼ିଶା: କୋଇଲା ଗ୍ୟାସୀକରଣ ପ୍ରଯୁକ୍ତି ମାଧ୍ୟମରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଏହା ଡିସେମ୍ବର ୨୦୨୭ ସୁଦ୍ଧା ସମ୍ପୂର୍ଣ୍ଣ ହେବାର ଆଶା ରହିଛି। ୨, ଆସାମ ଭ୍ୟାଲି ଫର୍ଟିଲାଇଜର୍ସ ଆଣ୍ଡ କେମିକାଲ୍ସ କମ୍ପାନୀ ଲିମିଟେଡ୍ (ଏଭିଏଫ୍ସିସିଏଲ୍), ନାମରୂପ, ଆସାମ: ଏହି ପ୍ରକଳ୍ପ ସମ୍ପର୍କରେ ୧୯ ମାର୍ଚ୍ଚ ୨୦୨୫ରେ ଘୋଷଣା କରାଯାଇଥିଲା।
*****
MT